ଲୋକାଲ୍‍ ଟ୍ରେନ୍‍ରେ ସାପ ଆତଙ୍କ

0

ଥାନେ: ଏକ ଲୋକାଲ୍‍ ଟ୍ରେନ୍‍ରେ ସାପ ପଶିଯିବାରୁ ବଗିରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ଜଣେ ଯାତ୍ରୀ ସାପକୁ ବଗିରୁ ବାହାର କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ଯାତ୍ରୀଙ୍କ ସୂଚନା ଅନୁଯାୟୀ ଥାନେ ଷ୍ଟେସନ ପୂର୍ବରୁ ଟ୍ରେନ୍‍ର ଫାଷ୍ଟକ୍ଲାସ୍‍ ସାଧାରଣ ବଗିର ଦ୍ୱାର ନିକଟରେ ହଠାତ୍‍ ଏକ ସବୁଜ ରଙ୍ଗର ସାପ ହ୍ୟାଣ୍ଡେଲ୍‍ ବାର ଉପରକୁ ଚଢ଼ୁଥିବା ଜଣେ ଯାତ୍ରୀ ଦେଖି ଚିତ୍କାର କରିଥିଲେ। ଏହାପରେ ବଗିରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସାପଟି ଟ୍ରେନ୍‍ର ଫ୍ୟାନ୍‍ ଆଡ଼କୁ ଯାଉଥିବା ଦେଖି ଜଣେ ଯାତ୍ରୀ ଫ୍ୟାନ୍‍ ବନ୍ଦ କରିଦେଇଥିଲେ। ଆଉ ଜଣେ ଯାତ୍ରୀ ଚେନ୍‍ ଟାଣି ଦେବାରୁ ଷ୍ଟେସନର କିଛି ଦୂରରେ ଟ୍ରେନ୍‍ଟି ଅଟକି ଯାଇଥିଲା। ଏହାପରେ କିଛି ଯାତ୍ରୀ ସାପକୁ ଧରି ବଗି ବାହାରକୁ ଫୋଫାଡ଼ି ଦେଇଥିଲେ। ଟ୍ରେନ୍‍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହା ଏକ ଦୁର୍ଘଟଣା ନୁହେଁ, ବରଂ କେହି ଜାଣିଶୁଣି ବଗି ଭିତରକୁ ସାପ ଛାଡ଼ି ଦେଇଥାଇପାରେ। ପ୍ରାଣୀ ବିଶେଷଜ୍ଞଙ୍କୁ ଘଟଣାର ଅନୁସନ୍ଧାନ ଦାୟିତ୍ୱ ଦିଆଯାଇଛି। ପ୍ରାଣୀ ବିଶେଷଜ୍ଞଙ୍କ ପ୍ରାଥମିକ ସୂଚନା ଅନୁଯାୟୀ, ସାଧାରଣତଃ ବର୍ଷା ଦିନେ ଏଭଳି ସାପ ଦେଖାଯାଇଥାନ୍ତି। ଟ୍ରେନ୍‍ ରହଣି ସମୟରେ ବୋଧହୁଏ କୌଣସି ବଡ଼ ଗଛ ଉପରୁ ସାପଟି ଟ୍ରେନ୍‍ ଛାତ ଉପରକୁ ଖସି ପଡ଼ିଥାଇପାରେ। ତା’ ପରେ ଝରକା ଦେଇ ସାପଟି ବଗି ଭିିତରକୁ ଚାଲି ଯାଇଥିବ ବୋଲି ସେମାନେ କହିଛନ୍ତି।

Leave A Reply