୪ ଫୁଟର ନାଗ ସହ ଲଢିଲା ଏକ ଫୁଟ ଲମ୍ବର ବାଲି ବୋଡ଼ା, ଦେଖନ୍ତୁ ଭିଡିଓ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗ୍ରାମରେ ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ୨ ଟି ସାପ ପରସ୍ପରକୁ ଆକ୍ରମଣ କରିଛନ୍ତି। ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଆ ବା ବାଲି ବୋଡ଼ା ସାପକୁ କାମୁଡି ଧରିଥିବା ବେଳେ, ସେଇ ଛୋଟ ସାପଟି ମଧ୍ୟ ନିଜର ଲାଙ୍ଗୁଡ଼ରେ ନାଗର ବେକକୁ ଗୁଡେଇ ଦେଇଥିଲା । ସ୍ଥାନୀୟ ଲୋକମାନେ ସ୍ନେକ ହେଲ୍ପ ଲାଇନକୁ ହ୍ଵାଟ୍ସଆପରେ ଫଟୋ ପଠାଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୋଷ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ସାପ ୨ ଟିକୁ ଚିହ୍ନଟ କରିଥିଲେ । ଏଭଳି ପରିସ୍ଥିତିରେ ସାପଙ୍କୁ ବିରକ୍ତ ନ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଲୋକମାନେ ନଛୋଡ଼ବନ୍ଧା ହୋଇଥିଲେ । ସେମାନେ ବାଧ୍ୟ କରିଥିଲେ ଯଦି ସାପକୁ ଏଠୁ ନ ହଟାଇବ ଆମେ ମାରିଦେବୁ।
ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୋଷ ନିଜ ସ୍ନେକ ହୁକରେ ସାପ ୨ ଟିକୁ ଅଲଗା କରିଥିଲେ । ଘଟଣା ସ୍ଥଳରୁ ଖଣ୍ଡେ ଦୂରରେ ଅଲଗା ଅଲଗା ସ୍ଥାନରେ ସାପ ୨ ଟିକୁ ଛାଡ଼ି ଦେଇଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ତେବେ ଯଦିଓ ଆମେ ସାପଙ୍କୁ ଛାଡିବା ବେଳେ ଉଭୟ ବଞ୍ଚି ଥିଲେ, କିନ୍ତୁ ବିଷହୀନ କମନ ସ୍ୟାଣ୍ଡ ବୋଆଟିକୁ ଯେହେତୁ ନାଗ ସାପ ଦୀର୍ଘ ସମୟ ଧରି କାମୁଡି ଧରିଥିଲା ତେଣୁ ତାହା ମରିଯାଇଥିବ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।