ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ଏନଏସି ୱାର୍ଡ ନଂ ୧୦ର ରଥତୈଳାର ଜଣେ ବିବାହିତା ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଜନନୀ ଓରାମ(୨୩)।

ସୂଚନା ଅନୁସାରେ, ସେମାବାର ରାତିରେ ଭଳି ଖାଇପିଇ ପରିବାର ସହିତ ଘରେ ଶୋଇଥିଲେ। ହେଲେ ସୋମବାର ରାତ୍ରି ପ୍ରାୟ ୩ଟା ବେଳକୁ ଏକ ବିଶଧର ଚିତି ସାପ ତାଙ୍କୁ କାମୁଡି ଦେଇଥିଲା। ଏନେଇ ସେ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ପରିବାର ପ୍ରଥମେ ସାପଟି କାବୁ କରି ଧରିଥିଲେ। ତାପରେ ମୃତ ଜନନୀଙ୍କୁ ଘରୋଇ ଚିକିତ୍ସା କରିବା ସହିତ ଝଡାଫୁଙ୍କା ସକାଳ ପର୍ଯ୍ୟନ୍ତ ଚଳାଇଥିଲେ। ହେଲେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତିକଲା ପୁର୍ବାହ୍ନ ପ୍ରାୟ ୮ଟା ବେଳକୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନକୁ ଆଣି ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା କରିବା ସହିତ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନକୁ ନେବା ପାଇଁ ରେଫର କରିଥିଲେ। କିନ୍ତୁ ପରିବାର ସଦସ୍ୟମାନେ ବୁର୍ଲା ନେବା ପରିବର୍ତ୍ତେ ପୁଣି ଗୁଣିଆ ପାଖକୁ ଝଡାଫୁଙ୍କା କରିବା ପାଇଁ ଘରକୁ ନେଇଯାଇଥିଲେ। ଇତି ମଧ୍ୟରେ ଜନନୀଙ୍କ ଅବସ୍ଥା ଅତି ସଂକଟାପନ୍ନ ହୋଇଯିବାରୁ ଅପରାହ୍ନ ପ୍ରାୟ ୫ଟା ବେଳକୁ ପୁଣି ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେତିକି ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ଏନେଇ ଖବର ପାଇ ରେଢ଼ାଖୋଲ ପୁଲିସ ଡାକ୍ତରଖାନକୁ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କଲା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।

Comments are closed.