ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଦୁଇଭଉଣୀଙ୍କ ମୃତ୍ୟୁ ଘଟିଛି। ଗୋପାଳ ଜଗଦଲାଙ୍କ ଦୁଇଝିଅ ନିକିତା (୧୨) ଓ ଅର୍ଚ୍ଚିତା (୧୧) ଗତ ରାତିରେ ମା’ବାପାଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଏକ ବିଷଧର ସାପ ଦୁଇଭଉଣୀଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଏହା ଜାଣିପାରି ଗୁରୁୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ଦିନରେ ଦୁଇ ଭଉଣୀଙ୍କ ଅକାଳମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଉଲୁଣ୍ଡା ପୁଲିସ ଶବଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସମ୍ପର୍କରେ ଏସ୍‌ଆର୍‌ସିଙ୍କୁ ଜଣାଇ ଦେଇଥିବା ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବଶ୍ରେଣୀର ହୋଇଥିବାରୁ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Comments are closed.