ସାପ କାମୁଡାରେ ବୃଦ୍ଧା ମୃତ

କଲମପୁର: ମଙ୍ଗଳବାର ବିଳମ୍ବିତ ରାତିରେ ଜନୈକା ବୃଦ୍ଧାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେବାରୁ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଗୁଣପୁର ଗ୍ରାମର ଜନୈକା ବିଧବା ମହିଳା ଉର୍ମୀଳା ମାଝୀ (୬୮ ବର୍ଷ) ରାତିରେ ପରିଶ୍ରା ପାଇଁ ବାହାରକୁ ବାହାରିଥିଲେ। ପରିଶ୍ରା କରୁଥିବା ସମୟରେ ଏକ ବିଷାକ୍ତ ସାପ ବୃଦ୍ଧାଙ୍କୁ କାମୁଡି ଦେଇଥିଲା। ଏନେଇ ପରିବାର ଲୋକଙ୍କୁ ସୁଚନା ଦେବା ପରେ ପରିବାର ଲୋକ ସାପକୁ ଦେଖିଥିଲେ ଓ ମାରି ଦେଇଥିଲେ। ଅନ୍ୟପଟେ ବୃଦ୍ଧା ଜଣକର ଅବସ୍ଥା ମଧ୍ୟ ଗୁରୁତର ହେଇ ପଡିଥିଲା। କିଛି ସମୟ ପରେ ବୃଦ୍ଧା ଜଣକର ମୃତ୍ୟୁ ଘଟିଥିଲା।

ଏନେଇ ବୃଦ୍ଧାଙ୍କ ପୁଅ ରାମ ଚନ୍ଦ୍ର ମାଝୀ ଗୁଣପୁର ପୁଲିସ ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲା ପାଇବା ପରେ ତୁରନ୍ତ ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ। ପରବର୍ତି ସମୟରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃଦ୍ଧାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Comments are closed.