ଶ୍ରେଣୀଗୃହରେ ସର୍ପାଘାତ; ଛାତ୍ରୀ ମୃତ

0

ଆନନ୍ଦପୁର/ଘସିପୁରା,: ଆନନ୍ଦପୁର ବ୍ଲକର ବାରିଗାଁ ୟୁଜିୟୁପି ସ୍କୁଲ ଶ୍ରେଣୀଗୃହରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀର ସାପ କାମୁଡାରେ ମୃତ୍ୟୁ ଘଟିଛି। ପ୍ରତିବାଦରେ ଏଥିନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାରେ ବିଳମ୍ବ କରାଯିବା ଅଭିଯୋଗ ହେବାପରେ ପ୍ରଧାନଶିକ୍ଷକ କେଶବଚନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି। ବାରିଗାଁର ପ୍ରମୋଦ ସାହୁଙ୍କ ଝିଅ ମାମାଲି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା। ସବୁଦିନ ଭଳି ସେ ସ୍କୁଲକୁ ଆସିଥିଲା। ମାତ୍ର ମଧ୍ୟାନ୍ନ ଭୋଜନ ଖାଇବାକୁ ତାକୁ ଡକାଯିବା ସମୟରେରେ ଶ୍ରେଣୀଗୃହରେ ଶୋଇପଡିଥିବା ଓ ତା’ ପାଟିରୁ ଗରଳ ବାହାରୁଥିବା ତା’ର ସହପାଠୀମାନେ ଦେଖି ପ୍ରଧାନଶିକ୍ଷକଙ୍କୁ କହିଥିଲେ। ପରେ ତାକୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା; ମାତ୍ର
ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଶହଶହ ସଂଖ୍ୟାରେ ଗ୍ରାମବାସୀ ସ୍କୁଲ ନିକଟରେ ଏକତ୍ରିତହୋଇ ସ୍କୁଲକୁ
ଘେରାଉ କରି ରଖିବା ସହ ସମସ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲେ। ପରେ ଝିଅକୁ ସାପ କାମୁଡିଥିବା ଅନୁମାନ କରି ସର୍ପ ବିଶେଷଜ୍ଞ ଡକାଯାଇ ସେହି ଶ୍ରେଣୀଗୃହରେ ଥିବା ପୋଡିୟମ ତଳୁ ଗୋଟିଏ ଗୋଖର ସାପ ଉଦ୍ଧାର କରାଯାଇଥିଲା। ଝିଅଟି ବିଦ୍ୟାଳୟକୁ
ଆସିବା ପରେ ଶ୍ରେଣୀ ଗୃହରେ ଥିବା ଅବ୍ୟବହୃତ କାଗଜ ଆଣୁଥିବା ବେଳେ ତାକୁ ସାପଟି କାମୁଡିଥିବା ଅନୁମାନ କରାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ବିଆର୍‍ସିସି କ୍ଷିରୋଦ ତ୍ରିପାଠୀ, ଏବିଓ ଚତୁର୍ଭୂଜ ପହି, କର୍ମଚାରୀ ରବି ମିଶ୍ର, ଅକ୍ଷୟ ଭଞ୍ଜ, ବିନୋଦବିହାରୀ ପଢ଼ିଆରୀ ପ୍ରମୁଖଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଆନନ୍ଦପୁର ମେଡିକାଲରେ ପହଁଞ୍ଚି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଘଟଣାରେ ଶିକ୍ଷକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ମୃତ ବାଳିକାଟିର ଆନନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ ପରେ ତାକୁ ବାରିଗାଁ ସ୍କୁଲ ପରିସରକୁ ଅଣାଯିବା ପରେ ଗ୍ରାମବାସୀ ଅଟକ ରଖିଥିବା ଶିକ୍ଷକଙ୍କୁ ସନ୍ଧ୍ୟାରେ ଛାଡିଥିବା ଜଣାପଡିଛି। ହେଲେ ଡାକ୍ତରଖାନା ନେବାରେ ବିଳମ୍ବ କାରଣରୁ ସମ୍ପୃକ୍ତ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କୁ ନିଲମ୍ବିତ କରାଯାଇଛି।
ଶ୍ରେଣୀଗୃହରେ ଦଂଶିଲା…

Leave A Reply