ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ : ସ୍ମୃତି ଇରାନୀ

0

ଭୁବନେଶ୍ୱର : ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତ୍ରୀ ତଥା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ମହିଳାମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ରାଜ୍ୟରେ ୬୦ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ଡାକ୍ତଖାନାକୁ ନିଆଯାଉଛି। ଡ଼ାକ୍ତରଖାନାକୁ ନେବା ସମୟରେ ରାସ୍ତା କଡ଼ରେ ସନ୍ତାନ ପ୍ରସବ କରୁଛନ୍ତି। ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି। ତଥାପି ଆୟୁଷ୍ମାନ ଭାରତ ଯୋଜନା ଭଳି କଲ୍ୟାଣକାରୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ଲାଗୁ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହା ଘୋର ନିନ୍ଦା ଓ ପରିତାପର ବିଷୟ ବୋଲି ଶ୍ରୀମତୀ ଇରାନୀ କହିଛନ୍ତି।
ସେହିପରି ରାଜ୍ୟରେ ବୁଣାକାରମାନଙ୍କର ଅନେକ ସମସ୍ୟା ଲାଗି ରହିଛି। ଅନେକ ବୟନ ଶିଳ୍ପ ବନ୍ଦ ହୋଇ ପଡିରହିଛି। ସରକାର ଆଗ୍ରହ ପ୍ରକାଶ କଲେ ଓଟିଏମର ପୁନରୁଦ୍ଧାର ପାଇଁ ତାଙ୍କ ମନ୍ତ୍ରଣାଳୟ ସହଯୋଗ ଯୋଗାଇଦେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦିଗରେ ପଦକ୍ଷେପ ନେଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଶ୍ରୀମତୀ ଇରାନୀ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply