ଟି-୨୦ ବିଶ୍ୱକପ୍ ଘୁଞ୍ଚିଲେ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ: ସ୍ମିଥ୍

ସିଡ୍ନୀ : ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଆୟୋଜନ ହେବାର ଅଛି । ତେବେ ସାରାବିଶ୍ୱରେ କରୋନା ଭୂତାଣୁର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ବିଶ୍ୱକପ୍କୁ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇପାରେ ବୋଲି ଆଲୋଚନା ହେଉଛି। ଏହି ସୁଯୋଗକୁ ଅନାଇ ବସିଛି ବିସିସିଆଇ। ଟ୍ୱେଣ୍ଟି୨୦ ବିଶ୍ୱକପ୍ ବାତିଲହେଲେ ଅକ୍ଟୋବର-ନଭେମ୍ବରରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ ବିଚାର କରୁଛି। ଏହି ସନ୍ଦର୍ଭରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ କହିଛନ୍ତି ଯେ ଯଦି ଅଷ୍ଟ୍ରେଲିଆ ସରକାର ଅନୁମତି ଦିଅନ୍ତି; ସେ ଭାରତ ଯାଇ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।
ଗଣମାଧ୍ୟମକୁ ଅଷ୍ଟ୍ରେଲୀୟ ବ୍ୟାଟିଂ ସୁପରଷ୍ଟାର ଷ୍ଟିଭେନ୍ ସ୍ମିଥ୍ କହିଛନ୍ତି; ତୁମେ ଯଦି ଦେଶ ପାଇଁ ବିଶ୍ୱକପ୍ ଖେଳୁଛ; ତେବେ ଏହା ଦିନିକିଆ ଓ ଟ୍ୱେଣ୍ଟି୨୦ କ୍ରିକେଙ୍କର ସର୍ବୋଚ୍ଚ ଟୁର୍ଣ୍ଣାମେଣ୍ଟ। କେବଳ ମୁଁ ନୁହେଁ; ଯେ କେହି କ୍ରିକେଟର ଦେଶ ପାଇଁ ବିଶ୍ୱକପ୍ରେ ଖେଳିବାକୁ ଚାହିଁବେ। ତେବେ ବିଶ୍ୱକପ୍କୁ ଯଦି ଘୁଞ୍ଚାଇ ଦିଆଯାଏ; ତେବେ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ। ଆଇପିଏଲ୍ ଏକ ଚମତ୍କାର ଟୁର୍ଣ୍ଣାମେଣ୍ଟ। ତେବେ ପରିସ୍ଥିତି ଆମ ହାତରେ ନାହିଁ। ଯଦି ଆଇପିଏଲ୍ ଖେଳିବାର ସୁଯୋଗ ମିଳେ; ନିଶ୍ଚୟ ଖେଳିବି। ସୂଚନାଯୋଗ୍ୟ; ଗତ ସପ୍ତାହରେ କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ୱେଣ୍ଟି୨୦ ବିଶ୍ୱକପ୍କୁ ବର୍ଷେ ଘୁଞ୍ଚାଇଦେବା ଲାଗି ଆଇସିସିକୁ ପତ୍ର ଲେଖିଛି। ଜୁନ୍ ୧୦ରେ ଟ୍ୱେଣ୍ଟି୨୦ ବିଶ୍ୱକପ୍ ସମ୍ପର୍କରେ ଆଇସିସି ବୋର୍ଡ ନିଷ୍ପତ୍ତି ନେବ। ଆଇପିଏଲ୍ ଖେଳିବା ବିଷୟରେ ସ୍ମିଥ୍ କହିଛନ୍ତି, କିଛି ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ।
ତେବେ ଆଇପିଏଲ୍ ଖେଳିବାକୁ ଯିବା ପୂର୍ବରୁ ଅଷ୍ଟ୍ରେଲିଆ ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚୟ ନେବି। ତେବେ ବର୍ତ୍ତମାନ ଖାଲି ସମୟରେ ସୁଯୋଗ ମିଳିଲେ ଶାରୀରିକ ଅଭ୍ୟାସ କରିବା ସହ ମାନସିକ ଭାବେ ଦୃଢ଼ହେବାକୁ ପ୍ରୟାସ କରିବି। ଏହାସହ ସ୍ମିଥ୍ କହିଛନ୍ତି ଯେ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ସହ ଅନ୍ୟ ସିରିଜ୍ ମଧ୍ୟ ଖେଳିବାକୁ ସେ ଅପେକ୍ଷା କରିଛନ୍ତି।