ମନଖୋଲା ହସନ୍ତୁ

ବିଶେଷଜ୍ଞଙ୍କ ବିଭିନ୍ନ ପ୍ରକାର ପରୀକ୍ଷାରୁ ପ୍ରକାଶିତ ଯେ ମନଖୋଲା ହସୁଥିବା ବ୍ୟକ୍ତି ଦୀର୍ଘଜୀବୀ। ହେଲେ ଆଜିର ସମୟରେ ଲୋକଙ୍କ ପାଖରେ ସେସବୁ ପାଇଁ ଫୁରସତ୍ ହିଁ ନାହିଁ। କାମର ଚାପ ଓ ପରିବାରର ଦାୟିତ୍ବରେ ହସିବାକୁ ଯେପରି ଲୋକେ ପାସୋରିଗଲେଣି କହିଲେ ଭୁଲହେବନାହିଁ। ନିକଟରେ ନ୍ୟୁଜିଲାଣ୍ଡର ଗବେଷକଦଳ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ସାମିଲ କରି ଗବେଷଣା କରିଥିଲେ।

ମିଳିଥିବା ତଥ୍ୟ ଅନୁସାରେ, ହସିଲେ ମସ୍ତିଷ୍କର ସ୍ଥିତି ଠିକ୍ ରହିବା ସହ ଚିନ୍ତାମୁକ୍ତ ରହେ। ଖୁବ୍ କମ୍ ଲୋକେ ଜାଣନ୍ତି ଯେ ହସିଲେ ଆମ ଶରୀରର ୧୭ଟି ମାଂସପେଶୀ କାର୍ୟ୍ୟ କରିଥାଏ। ହେଲେ ରାଗିଲେ ୪୩ଟି ମାଂସପେଶୀ କାମ କରେ। ଏକଲା ଜୀବନଯାପନ କରୁଥିବା ବ୍ୟକ୍ତି ଅନ୍ୟ ଲୋକଙ୍କ ତୁଳନାରେ ୩୦ପ୍ରତିଶତ କମ୍ ହସିଥାନ୍ତି। ଏ ବାବଦରେ ଏବର କର୍ମଜୀବୀ ମହିଳାଙ୍କ ମତାମତ ନିଆଯାଇଥିଲା। ଜୀବନ ପ୍ରତି ଏହି ବର୍ଗର ମହିଳାମାନେ ଏକରକମ ବୀତସ୍ପୃହ ହୋଇଗଲେଣି। ଘର-ବାହାର କାମ କରି ଅତିଷ୍ଠ ହେବା ପରେ ହସିବା ଓ ଜୀବନ ଉପଭୋଗ କରିବାକୁ ଏମାନେ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି। ଗୃହିଣୀମାନେ କିନ୍ତୁ ବେଶ୍ ମଉଜ୍ ମଜଲିସରେ ଜୀବନଶୈଳୀ ଅତିବାହିତ କରୁଥିବାର ପ୍ରକାଶ।

ପରୀକ୍ଷାରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ହସିଥାନ୍ତି। ଜଣେ ମହିଳା ଦିନକୁ ୬୨ଥର ହସୁଥିବାବେଳେ ପୁରୁଷ ମାତ୍ର ୮ଥର ହସିଥାଏ। କୁନି ପିଲା ଦିନକୁ ୪୦୦ଥର ହସୁଥିବାବେଳେ ବୟସ୍କବର୍ଗ ମାତ୍ର ୧୩ ରୁ ୧୫ଥର ହସିଥାନ୍ତି। ମନଖୋଲା ହସ ଏକ ପ୍ରାକୃତିକ ପେନ୍-କିଲର ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Comments are closed.