ବନ୍ୟଜନ୍ତୁଙ୍କୁ ଖରାତାତି, କରୋନାରୁ ରକ୍ଷା ପାଇଁ ପଦକ୍ଷେପ; ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି ଡିଅର ପାର୍କ

ସମ୍ବଲପୁର: ବନ୍ୟଜନ୍ତୁଙ୍କୁ ଗ୍ରୀଷ୍ମ ତାପ ଓ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ  କରିବାକୁ ସରକାର ରାଜ୍ୟର ସମସ୍ତ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ଦେଶକୁ ଲକ୍‌ଡାଉନ ରଖାଯାଇଛି। ସାମାଜିକ ଦୂରତା ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ଦିଗରେ ଏକ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ବିଭିନ୍ନ ସ୍ଥାନରେ କଟକଣା ଲାଗୁ ହୋଇଛି। ଏହି କ୍ରମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନ ସମ୍ବଲପୁରର କେନ୍ଦ୍ରସ୍ଥଳରେ ଅବସ୍ଥିତ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର(ଡିଅର ପାର୍କ)ରେ ବନ୍ୟପ୍ରାଣୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମୋତିଝରନ ଅଞ୍ଚଳରେ ଥିବା ଡିଅର ପାର୍କକୁ ସାଧାରଣ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରିଦିଆଯାଇଛି।

ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡିଅର ପାର୍କରେ ବାଘ, ଭାଲୁ, ହରିଣ ଆଦି ସମେତ ସମୁଦାୟ ୧୭ ପ୍ରଜାତିର ୨୭୦ରୁ ଅଧିକ ପଶୁ  ଓ ପକ୍ଷୀ ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ସେମାନଙ୍କର ରହିବା ସ୍ଥାନ ଉପରେ ନଟା ଓ ସବୁଜ ନେଟ ବିଛାଯାଇଛି। ଦିନକୁ ଦୁଇ ଥର ସେମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳକୁ ଦୁଇ ଥର ବଦଳ କରାଯାଇ ନୂତନ ଓ ସ୍ୱଚ୍ଛ ପାଣି ଦିଆଯାଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟରେ ରଖି ବନ୍ୟଜନ୍ତୁଙ୍କୁ ସରକାରୀ ଗାଇଡଲାଇନ ଅନୁଯାୟୀ ଯଥେଷ୍ଟ ମାତ୍ରାରେ ଫଳମୂଳ ଦିଆଯାଉଛି। ଏହା ସହିତ ନିୟମିତ ବ୍ୟବଧାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଭିଟାମିନ ଔଷଧ ଓ ଓଆରଏସ ମଧ୍ୟ ଦିଆଯାଉଛି। ବାଘଙ୍କ ସ୍ୱାସ୍ଥ୍ୟକୁ ନିୟମିତ ଯାଞ୍ଚ କରାଯାଉଛି। ଭାଲୁଙ୍କୁ ନିୟମିତ ଖାଦ୍ୟ ସହିତ ଆଖୁ ରସ ଦିଆଯାଉଛି।

ଏପ୍ରିଲ ମାସରେ ଆମେରିକାରେ ଏକ ବାଘ କରୋନା ସଂକ୍ରମିତ ହେବା  ଜଣାପଡିବା ପରେ ବନ ବିଭାଗ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ପାଇଁ ଅଧିକ ସର୍ତକ ହୋଇପଡ଼ିଛି। ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତ୍ୱ ସହିତ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଅର ପାର୍କରେ ରହିଥିବା କର୍ମଚାରୀଙ୍କ ସଂଖ୍ୟାକୁ କମ କରାଯାଇଥିବା ବେଳେ ସମସ୍ତଙ୍କ କାର୍ଯ୍ୟକୁ ରୋଟେସନ କରାଯାଉଛି। କର୍ମଚାରୀମାନେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱ ରକ୍ଷା କରି ବନ୍ୟଜନ୍ତୁମାନଙ୍କ ସେବା କରୁଛନ୍ତି। ଚିଡିଆଖାନା ସମ୍ମୁଖରେ ୩ ମିଟର ଚଉଡ଼ାର ଚୁନ ଗୁଣ୍ଡ ଦିଆଯାଇଛି। ବନ୍ୟଜନ୍ତୁଙ୍କ ରକ୍ଷାଣାବେକ୍ଷଣ ପାଇଁ ଆସୁଥିବା ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖିବା ପରେ ପ୍ରବେଶ ଦ୍ୱାରରେ ସାନିଟାଇଜର, ୱାସ ବେସିନ, ସାବୁନ ଓ ଜଳ ଦ୍ୱାରା ସାନିଟାଇଜ ହେବା ପରେ ଭିତରକୁ ଛଡାଯାଉଛି। ବନ୍ୟଜନ୍ତୁଙ୍କ ପାଇଁ ଆସୁଥିବା ଖାଦ୍ୟ ପଦାର୍ଥ ଗାଡିଗୁଡିକୁ ୱାଟର ବାଥ୍‌ ସହିତ ଗାଡିର ଚକଗୁଡିକୁ ପୋଟାସିୟମ ପାଣିରେ ଧୂଆଯିବା ପରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ସମସ୍ତ ଖାଦ୍ୟ ପଦାର୍ଥ ଯଥା ପନିପରିବା, ଫଳମୂଳ ଆଦିକୁ ଭଲ ଭାବରେ ଧୋଇବା ଓ ଶୁଖାଇବା ପରେ ବନ୍ୟଜନ୍ତୁଙ୍କୁ ଦିଆଯାଉଛି। ଡିଅର ପାର୍କ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ସାନିଟାଇଜ ମଧ୍ୟ କରାଯାଉଛି। ବନ୍ୟଜନ୍ତୁ ମାନଙ୍କର ସୁରକ୍ଷା ପାଇଁ ଖାଦ୍ୟପେୟ ଓ ରକ୍ଷଣାବେକ୍ଷଣ ଆଦି ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଉଛି ବୋଲି ଡେପୁଟି ରେଞ୍ଜର ଶର୍ମିଲି ନାୟକ କହିଛନ୍ତି।

ସୁଚନାଯୋଗ୍ୟ, ୧୯୮୦ରେ ସମ୍ବଲପୁରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ବ୍ରୃକ୍ସ ହିଲ ପାହାଡରେ ପ୍ରାୟ ୩୨ ଏକର ଜଙ୍ଗଲ ଜମିରେ ଡିଅର ପାର୍କ ପ୍ରତିଷ୍ଠା କରାଯାଇଥିଲା। ଏହା ୨୦୦୫ରେ ମିନି ଚିଡିଆଖାନାର ମାନ୍ୟତା ପାଇଥିଲା। ଏହି ଚିଡିଆଖାନାରେ ବନ୍ୟଜନ୍ତୁ ସଂରକ୍ଷଣ ସହିତ ଶିଶୁ ପାର୍କ ଓ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରାଯାଇଥିବାରୁ ଛୁଟି ଦିନରେ ଆଗନ୍ତୁକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।

Comments
Loading...