ଯାତନା ଦେଉଛି ସ୍ମାର୍ଟସିଟି, ରାସ୍ତାରେ ମଇଳା ପାଣି

ଉତ୍ତରଭୁବନେଶ୍ୱର: ରାଜଧାନୀର ବଡ଼ ବସ୍ତି ଭାବେ ସାଲିଆସାହି ପରିଚିତ। ଏହାକୁ ୧୬, ୨୦, ୨୧, ୨୬ ଭଳି ୪ଟି ୱାର୍ଡରେ ଗଠନ କରାଯାଇଛି। ବିଶେଷକରି ଜନସଂଖ୍ୟା ଓ ଘର ହିସାବରେ ଖୁନ୍ଦି ହୋଇ ରହିଥିବା ବେଳେ ଏଠାରେ ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବିଶେଷକରି ଇଡ୍‌କୋ ସାହି, ନୀଳଚକ୍ର ନଗର, ବିର୍ସାମୁଣ୍ଡା ସାହିରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଥିବାବେଳେ ଡ୍ରେନ୍‍ ଅଭାବରୁ ମଇଳା ପାଣି ରାସ୍ତା ଉପରେ ବହୁଛି। ସଠିକ୍‍ ଢଙ୍ଗରେ ସଫେଇ କିମ୍ବା ଅଳିଆ ଉଠାଯାଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏମିତିକି ମଶା ଧୂଆଁ, ମଶା ତେଲ କିମ୍ବା ବ୍ଲିଚିଂ ପଡୁନାହିଁ। ଡ୍ରେନେଜ୍‍ ସୁବିଧା ନଥିବାରୁ ବର୍ଷ ତମାମ୍‍ ଜଳ ନିଷ୍କାସନ ସମସ୍ୟା ଲାଗି ରହୁଛି। ବର୍ଷାଦିନେ ରାସ୍ତା ଘାଟ ଏବଂ ଘର ଭିତରେ ଡ୍ରେନ୍‍ ପାଣି ସୁଅ କାଟୁଥିବା ବରିଷ୍ଠ ନାଗରିକ ରୂପକ ହାଂସଦା, ସାବିତ୍ରୀ ମୁର୍ମୁ, ଖୁଲଣା ମୁର୍ମୁ କହିଛନ୍ତି।
ସାହି ଭିତରେ ଏକମାତ୍ର ମୁକୁଳା ଡ୍ରେନ୍‍, ଯେଉଁଠି ଘୁଷୁରି କୁକୁର ରାଜ୍‍ କରିନ୍ତି। ଏହି ଅଞ୍ଚଳର ୧୬ନଂ, ୨୦, ଏବଂ ୨୬ନଂ ୱାର୍ଡ ଭିତରେ ଥିବା ଏକମାତ୍ର ମୁକୁଳା ଡ୍ରେନ୍‍ ସର୍ବଦା ଉଛୁଳୁଛି। ସଫେଇର ନାଁ ଗନ୍ଧ ନାହିଁ। ଏହାର ଜଳ ସାହିର ଶେଷ ଭାଗରେ ଥିବା ଘରଗୁଡ଼ିକରେ ପଶୁଛି। ଏହା ଉପରେ ଘୁଷୁରି କୁକୁର ରାଜ୍‌ କରନ୍ତି। ନିକଟରେ ଏକ ଶିଶୁର ମୃତଦେହ ଏହି ଡ୍ରେନ୍‍ରେ ଭାସି ଆସିଥିବାବେଳେ ଲୋକେ ଦେଖିବା ସମୟରେ କିଛି ଘୁଷୁରି ଓ କୁକୁର ସେହି ମୃତଦେହକୁ ଖାଇ ଦେଇଥିଲେ।

Comments are closed.