ଯାତନା ଦେଉଛି ସ୍ମାର୍ଟସିଟି: ଖୋଲୁନି ‘ଶ୍ରମିକ ଆବାସ’

୮ମାସ ହେଲା ନିର୍ମାଣ ସରିଲାଣି, ରହିବା ସୁଯୋଗ ମିଳୁନି

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘରଭଡ଼ା । ରହିବା, ଖାଇବା ସହିତ ଅନ୍ତେବାସୀଙ୍କୁ ସୁରକ୍ଷା ମିଳିବ। ଏହି ଲକ୍ଷ୍ୟରେ ସ୍ମାର୍ଟସିଟି ଖାରବେଳ ନଗରରେ ସୋସିଆଲ ଇକ୍ୟୁଟି ସେଣ୍ଟର ପ୍ରକଳ୍ପରେ ବହୁତଳ କୋଠା ନିର୍ମାଣ ହୋଇଛି। ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ ନିବାସର ନିର୍ମାଣ ଅବଧି ୧୨ ମାସ ରହିଥିବାବେଳେ ୩ବର୍ଷରେ ଏହାର କାମ ଶେଷ ହୋଇଥିଲା। ଗତ ୮ମାସ ହେଲା ନିର୍ମାଣ କାମ ସହିତ ଅନ୍ତରୀଣ ସାଜସଜ୍ଜା ବି ସରିଛି। ଲୋକାର୍ପଣର କିଛିିଦିନ ପରେ ଏହି ଶ୍ରମିକ ଆବାସରେ ୭୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ରହିଥିଲେ, କିନ୍ତୁ କୋଭିଡ ସଂକ୍ରମଣ ପରେ ଆଉ ଏଠାରେ କେହି ରହୁ ନାହାନ୍ତି। କୋଭିଡ ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ନଥିବାରୁ ଅନ୍ତେବାସୀ ଅନ୍ୟତ୍ର ଚାଲିଯାଇଥିବା ଜଣାପଡ଼ିଛି। ସାଢ଼େ ୫କୋଟି ଟଙ୍କାରେ ନିର୍ମିତ ଏହି କୋଠା ଏବେ କାମରେ ଆସୁନି। ସ୍ମାର୍ଟସିଟି ଏବଂ ବିଏମ୍‌ସିର ନିଷ୍କ୍ରିୟତ‌ା ଯୋଗୁଁ ପ୍ରକଳ୍ପର ଲାଭ ଜନତାଙ୍କ ନିକଟରେ ପହଞ୍ଚୁନି।

ପ୍ରକଳ୍ପର ରୂପରେଖ
୦.୩୬୫ ଏକର ପରିମିତ ଜମିରେ ୩୭ ହଜାର ୬୪୫ ବର୍ଗଫୁଟ୍‌‌ ଅଞ୍ଚଳରେ ନିବାସ ନିର୍ମାଣ ହୋଇଛି। ଚାରି ମହଲା ବିଶିଷ୍ଟ ହୋଇଥିବାବେଳେ ୨୫୦ଟି ଶଯ୍ୟା ରହିଛି। ଦୁଇଶହ ଶଯ୍ୟା ସହରୀ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଭଡ଼ାରେ ଦିଆଯିବ। ଅନ୍ୟ ୫୦ ଶଯ୍ୟା ବାସହୀନ ଲୋଙ୍କ ରହିବା ନିମନ୍ତେ ବ୍ୟବସ୍ଥା ହୋଇଛି। ନିର୍ମାଣ ଶ୍ରମିକ ନିଜ ପରିବାର ସହିତ ମଧ୍ୟ ଭଡ଼ାରେ ରହିପାରିବେ। ମହିଳାଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ୟବସ୍ଥା ହୋଇଛି। ୧୨ଟି ପରିବାର ମଧ୍ୟ ଏଠାରେ ରହିପାରିବେ। ଅନ୍ତେବାସୀଙ୍କ ଭୋଜନ ନିମନ୍ତେ ତଳ ମହଲାରେ ଆହାର କେନ୍ଦ୍ର ବ୍ୟବସ୍ଥା ହୋଇଛି। ଏଠାରେ ୧୪୦ ଲୋକ ବସି ଖାଇପାରିବେ। ଏହାସହିତ ୱାଟର ଏଟିଏମ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦୋବସ୍ତ ହୋଇଛି । ପ୍ରତି ରୁମ୍‌ରେ ଶୌଚାଳୟ ବ୍ୟବସ୍ଥା ସହିତ ସର୍ବସାଧାରଣ ଶୌଚାଳୟ ମଧ୍ୟ ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବଡ଼ ହଲ୍‌ ହୋଇଛି। ଅନ୍ତେବାସୀଙ୍କ ସୁରକ୍ଷା ନିମନ୍ତେ ଦୁଇଜଣ ସୁରକ୍ଷାକର୍ମୀ ମୁତୟନ ହେବେ।

Comments are closed.