ସ୍ମାର୍ଟଘଣ୍ଟା ବଜାରରେ ଚୀନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଅନିଶ୍ଚିତ ପରିସ୍ଥିତି ଲାଗିରହିଥିବାବେଳେ ମୁଦ୍ରାସ୍ଫୀତି ଏବଂ ସେମିକଣ୍ଡକ୍ଟର ଚିପ୍‍ ଅଭାବ ଭାରତୀୟ ଶିଳ୍ପକୁ ପ୍ରଭାବିତ କରୁଛି। ଏହାସତ୍ତ୍ବେ ସ୍ମାର୍ଟଘଣ୍ଟା ବଜାରରେ ଚୀନକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‍ ବଜାର ଭାବରେ ଉଭା ହୋଇଛି। ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତକୁ ଏହି ସଫଳତା ମିଳିଛି। ବିଶ୍ୱସ୍ତରରେ ସ୍ମାର୍ଟଘଣ୍ଟା ରପ୍ତାନି ବଜାରରେ ଏହି ସମୟରେ ୧୩% ବୃଦ୍ଧି ଘଟିଥିବା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ସ୍ମାର୍ଟ ଘଣ୍ଟା ବଜାରରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୩୦୦% ବୃଦ୍ଧି ଘଟିଛି। ଭାରତର ସ୍ୱଦେଶୀ ବ୍ରାଣ୍ଡ୍‍ଗୁଡିକର ଅଭିବୃଦ୍ଧି ଯୋଗୁ ଏହି ସଫଳତା ମିଳିଥିବା କୁହାଯାଉଛି। ପୂର୍ବ ତ୍ରୈମାସିକରେ ଚୀନ ସ୍ମାର୍ଟ ଘଣ୍ଟା ବଜାରରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସମ୍ପ୍ରତି ଏହା ତୃତୀୟ ସ୍ଥାନକୁ ଖସିଯାଇଛି। ସେଠାରେ ଅର୍ଥନୀତିର ବିଯୁକ୍ତାତ୍ମକ ଅଭିବୃଦ୍ଧି ଏବଂ କୋଭିଡ-୧୯ ଜନିତ ତାଲାବନ୍ଦ କାରଣରୁ ଚାହିଦାର ଅଭାବ ସ୍ମାର୍ଟଘଣ୍ଟା ବଜାରକୁ ପ୍ରଭାବିତ କରିଛି। ଏହି ବଜାରରେ ୟୁରୋପ ଚତୁର୍ଥ ସ୍ଥାନକୁ ଖସିଯାଇଛି। ରିପୋର୍ଟ ଅନୁଯାୟୀ ଉତ୍ତର ଆମେରିକା ଏହି ବ୍ୟବସାୟରେ ପ୍ରଥମ ସ୍ଥାନ ଅପରିବର୍ତ୍ତିତ ରଖିଛି।

Comments are closed.