ସ୍ବପ୍ନ ଦେଖାଇ ଶୋଇଗଲେ, ସ୍ମାର୍ଟ ଟ୍ରାଫିକ୍‌ କେବେ ?

ଭୁବନେଶ୍ବର: କୋଭିଡ କଟକଣା ସମ୍ପୂର୍ଣ୍ଣ ମୁକ୍ତ ହେବା ପରେ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସ୍ମାର୍ଟସିଟିର ଟ୍ରାଫିକ୍‌ ବ୍ୟବସ୍ଥାକୁ ସ୍ମାର୍ଟ କରିବା ଲାଗି ବିବିଧ ପଦକ୍ଷେପ ନିଆଯାଇଥିଲା। ହେଲେ ସେସବୁ ଫେଲ୍‌ ମାରିଛି।

ସହରର ସମସ୍ତ ଟ୍ରାଫିକ୍‌ ପୋଷ୍ଟରେ ଆଧୁନିକୀକରଣ କାର୍ଯ୍ୟ ନେଇ ୧୪.୬୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି ଆଧୁନିକୀକରଣ ପ୍ରକଳ୍ପରେ ଅଟୋମେଟିକ୍‌ ଟ୍ରାଫିକ ସିଗ୍‌ନାଲ ସିଷ୍ଟମ, ଗ୍ରିନ୍‌ କରିଡର ଭଳି ଅାଧୁନିକ ବ୍ୟବସ୍ଥା ହେବ। ଯାହାଫଳରେ ରାଜଧାନୀର ଜନସାଧାରଣ ଉନ୍ନତମାନର ଟ୍ରାଫିକ୍‌ ସୁବିଧା ପାଇବେ। ସେହିପରି ଟ୍ରାଫିକ୍‌ ସିଗ୍‌ନାଲ୍‌ ଉଲ୍ଲଘଂନକାରୀ ଏବଂ ମୋଟର ଯାନ ନିୟମକୁ ଫୁ କରି ଚକ୍କର ମାରୁଥିବା ଅମାନିଆଙ୍କୁ ଧରିବା ଲାଗି ଏହି ବ୍ୟବସ୍ଥାରେ ସହଜ ହେବ। ସେହିପରି ଏହି ବ୍ୟବସ୍ଥା ଲାଗୁ ହେଲେ ଲୋକଙ୍କୁ ବେଶୀ ସମୟ ଟ୍ରାଫିକ୍‌ରେ ଅଟକିବାକୁ ପଡ଼ିବନାହଁି। ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦି ସୁବିଧାରେ ଯାତାୟାତ କରିପାରିବେ। ରାଜଧାନୀରେ କିଛି ଅମାନିଆ ଚାଳକଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ସେସବୁକୁ ରୋକାଯାଇ ପାରିବ।

ଅନେକ ଟ୍ରାଫିକ୍‌ ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିଛି। ତେବେ ସେଥିରୁ କେତେକ ସ୍ଥାନରେ ସିସିଟିଭି ମରାମତି ଅଭାବରୁ କାମ କରୁନାହିଁ। ସ୍ମାର୍ଟସିଟି ହେବା ପରେ ସେସବୁ ଛକରେ ବି ପୁଣି ସିସିଟିଭି ଲଗାଗଲା। ନୂତନ ଛକରେ ଏନେଇ ଭବନେଶ୍ବର ସ୍ମାର୍ଟସିଟି ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ସିସିଟିଭି ଲଗାଯିବା ସହିତ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ କ‌େ‌ଣ୍ଟ୍ରାଲ ସିଷ୍ଟମ ବ୍ୟବସ୍ଥା ଆରମ୍ଭ କରାଯିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା। ହେଲେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପରଠାରୁ ପ୍ରାୟ ୨ବର୍ଷ ହୋଇଗଲାଣି। କୋଭିଡ କଟକଣା ଯୋଗୁଁ ଏହା ଆହୁରି ପଛକୁ ପଳାଇଛି। ସୂଚନା ମୁତାବକ ମାର୍ଚ୍ଚ ୨୦୧୮ରୁ ସ୍ବୟଂଚାଳିତ ଟ୍ରାଫିକ୍‌ ପରିଚାଳନା କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ସାରିବା ଅବଧି ୧୫ମାସ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ପୋଷ୍ଟର କାର୍ଯ୍ୟ ସରିଛି। ଆଉ ୭ଟି ଟ୍ରାଫିକ୍‌ ପୋଷ୍ଟ କାମ ବାକି ଅଛି। କରୋନା ମହାମାରୀ କାରଣରୁ ନିର୍ମାଣ କାର୍ଯ୍ୟ ସାରିବା ଅବଧିକୁ ବୃଦ୍ଧି କରାଯାଇଛି।
ରାଜଧାନୀରେ ଟ୍ରାଫିକ୍‌ ପରିଚାଳନା ପାଇଁ ସହର ମଧ୍ୟରେ ମୋଟ ୬୭ ଟ୍ରାଫିକ୍‌ ପୋଷ୍ଟ ରହିଛି। ଜଣେ ଇନ୍ସପେକ୍ଟର, ୧୩ ଜଣ ସବ୍‌ ଇନ୍ସ‌େ‌ପକ୍ଟର, ୩ଜଣ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୨୬ ହେଡ଼ କନଷ୍ଟେବଳ, ୧୮୯ କନଷ୍ଟେବଳ ଏବଂ ୫୫ ହୋମଗାର୍ଡ କାର୍ଯ୍ୟ କରୁଛନ୍ତି। ଦିନକୁ ଦିନ ସହରରେ ବଢୁଥିବା ଜନସଂଖ୍ୟା ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଉପକଣ୍ଠ ଅଞ୍ଚଳରେ ୩ଟି ନୂଆ ଟ୍ରାଫିକ୍‌ ପୋଷ୍ଟ ବାଟଭୁଆଶୁଣୀ, ଗୋହିରା ଏବଂ ହରିଭାଇନା ଛକରେ ନିର୍ମାଣ ହୋଇଛି। ଏବେବି ଅନେକ ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା କାର୍ଯ୍ୟ କରୁ ନ ଥିବା ବେଳେ ସିସିଟିଭି କାର୍ଯ୍ୟକାରୀ କରୁନାହିଁ।

Comments are closed.