MEllora 950×100

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ନିଷେଧ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ନିଷେଧ ହେବ ସ୍ମାର୍ଟଫୋନ୍‌ ବ୍ୟବହାର। କୌଣସି ଶ୍ରଦ୍ଧାଳୁ, ସେବକ କିମ୍ବା କର୍ମଚାରୀ ମନ୍ଦିର ଭିତରକୁ ସ୍ମାର୍ଟଫୋନ୍‌ ନେଇପାରିବେ ନାହିଁ। ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ କେବଳ ମନ୍ଦିର କମାଣ୍ଡରଙ୍କ ପାଖରେ ଗୋଟିଏ ସ୍ମାର୍ଟଫୋନ୍‌ ରହିବ। ଜାନୁଆରୀ ୧ରୁ ଏହି ନିଷ୍ପତ୍ତି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ସାମାଜିକ ଗଣମାଧ୍ୟମରେ ବାରମ୍ବାର ମନ୍ଦିର ଭିତର ଫଟୋ ପ୍ରଘଟ ହେଉଥିବାରୁ ବୁଧବାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ଛତିଶା ନିଯୋଗ। ଶ୍ରୀମନ୍ଦିର ସିଂହଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାର ଏବଂ ଉତ୍ତରଦ୍ୱାର ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ ପାଇଁ ପୁଲିସକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜଣେ ବାଂଲାଦେଶୀ ନାଗରିକ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଉଠାଇ ଫେସ୍‌ବୁକ୍‌ରେ ଛାଡ଼ିବା ସମେତ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରୋନ୍‌ ମାଧ୍ୟମରେ ଶ୍ରୀମନ୍ଦିର ଦୃଶ୍ୟ ରେକର୍ଡିଂ ଘଟଣାକୁ କେନ୍ଦ୍ର କରି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାରମ୍ବାର ଏଭଳି ବେଆଇନ କାର୍ଯ୍ୟ ହେଉଥିବାରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦର ଆଶଙ୍କା ରହିଥିବା କେତେକ ବରିଷ୍ଠ ସେବାୟତ ମତ ଦେଇଥିଲେ। ପୁଲିସ କର୍ମଚାରୀଙ୍କ ପାଇଁ ମୋବାଇଲ ଫୋନ୍‌ ବ୍ୟବହାର ନିଷେଧ କରାଯାଇଥିବାରୁ ଅନ୍ୟମାନଙ୍କ ପାଇଁ ସମାନ କଟକଣା ଲାଗୁ କରାଯିବାକୁ କେତେକ ସଭ୍ୟ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବକୁ ବୈଠକରେ ଗ୍ରହଣ କରାଯାଇଛି। ଶ୍ରୀଜୀଉଙ୍କ ସେବାପୂଜାରେ କେତେକ ସେବାୟତ ଅବହେଳା କରିବା ସହ ଦୈନନ୍ଦିନ ନୀତି ବିଳମ୍ବ ହେଉଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥିର କରାଯାଇଛି। ସେହିପରି ଶ୍ରୀଜୀଉଙ୍କ ପହିଲି ଭୋଗ, ମକର ସଂକ୍ରାନ୍ତି ଏବଂ ଦେବାଭିଷେକ ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି । ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଭ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ଏବଂ ଅନନ୍ତ ତିଆଡ଼ିଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।

Comments are closed.