କାର୍ଯ୍ୟକାରୀ ହେବ ସ୍ମାର୍ଟ ପାର୍କିଂ: ୨୦ ବର୍ଷ ପାଇଁ ଯୋଜନା , ପାର୍କିଂସ୍ଥଳରେ ଲାଗିବ ସେନସର

ଭୁବନେଶ୍ୱର : ରାସ୍ତାକଡ଼ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି ଏବଂ କମିସନରେଟ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି। ଏନେଇ ଆଗାମୀ ୨୦ ବର୍ଷକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ଭିତରେ ସହରର ବିକାଶ ଏବଂ ରାସ୍ତାଘାଟ କଳେବର ବୃଦ୍ଧିକୁ ଲକ୍ଷ୍ୟ କରାଯାଇଛି। ସେହି ଅନୁସାରେ ରାସ୍ତାପାର୍ଶ୍ବ ପାର୍କିଂ ବ୍ୟବସ୍ଥା ପାଇଁ ଦୀର୍ଘମିଆଦି ‘ପାର୍କିଂ ପଲିସ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ପ୍ଲାନ’ ଅଣାଯିବ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ କର୍ତ୍ତୃପକ୍ଷ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବେ ବୋଲି ଗୁରୁବାର ଉନ୍ନତି ଭବନଠାରେ ଅନୁଷ୍ଠିତ କର୍ମଶାଳାରେ ସୂଚନା ଦିଆଯାଇଛି। କର୍ମଶାଳାରେ ବର୍ତ୍ତମାନ ପାର୍କିଂସ୍ଥଳଗୁଡ଼ିକରେ ଦେଖାଦେଉଥିବା ସମସ୍ୟା ଏବଂ ଆଗକୁ କିଭଳି ଏହାର ସମାଧାନ କରାଯାଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ପ୍ରଥମେ ପାର୍କିଂସ୍ଥାନ ଚିହ୍ନଟ କରାଯିବ। ପରେ ଉକ୍ତ ଯୋଜନା‌ରେ କି କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ବ୍ୟବସ୍ଥା କରାଯିବ। ସ୍ମାର୍ଟସିଟି ବୈଷୟିକ ବିଭାଗ ମହାପ୍ରବନ୍ଧକ ଶେଷଦେବ ପଣ୍ଡା କହିଛନ୍ତି, ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ମାର୍କେଟ ଅଞ୍ଚଳରେ ଦୁଇପ୍ରକାର ପାର୍କିଂ ବ୍ୟବସ୍ଥା ରହିବ। ଗୋଟିଏ ପାର୍କିଂସ୍ଥଳରେ ଉଚ୍ଚ ହାରରେ ଅର୍ଥ ଆଦାୟ ହେବାକୁ ଥିବାବେଳେ ଅନ୍ୟ ପାର୍କିଂ ସ୍ଥଳରେ ଏହାଠାରୁ କମ୍‌ ଅର୍ଥ ନିଆଯିବ। ପାର୍କିଂସ୍ଥାନରେ ସେନସର ମେସିନ୍ ଲାଗିବ। ଫଳରେ କେଉଁଠି ପାର୍କିଂ ସ୍ଥାନ ରହିଛି ଲୋକେ ମୋବାଇଲ ଆପ୍ ମାଧ୍ୟମରେ ଜାଣିପାରିବ। ନୂତନ ପାର୍କିଂ ଯୋଜନା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି ପାର୍କିଂ ଯୋଜନା ରୂପରେଖ ପ୍ରସ୍ତୁତି କରି ସରକାରଙ୍କୁ ଦେବେ ବୋଲି ସେ କହିଛନ୍ତି। କର୍ମଶାଳାରେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସହିତ ବିଏମସି, ବିଡିଏ, ସ୍ମାର୍ଟସିଟି, ଜିଆଇଜେଡ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.