ବସଷ୍ଟାଣ୍ଡ ନିର୍ମାଣ ପାଇଁ ୫ ବର୍ଷ , ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ ୧ ମାସ

ମୋହନା : ରାଜ୍ୟ ସରକାର ୫-ଟି ମାଧ୍ୟମରେ ଏବେ ବିଭିନ୍ନ ଜିଲ୍ଲାରେ ଛାତ୍ର/ ଛାତ୍ରୀ ମାନଙ୍କ  ପାଠ ପଡିବା ପାଇଁ ନିର୍ମାଣ କରୁଛନ୍ତି କୋଟି କୋଟି ଟଙ୍କାରେ ସ୍ମାର୍ଟ କ୍ଲାସ ରୁମ୍ । ସେଥିରେ ବଗିଚା ସହ ଉନ୍ନତ ମାନର ଟେବୁଲ, ଏଲଇଡି ଟିଭି ଲଗାଇ ବିଦ୍ୟାଳୟ ଓ ପରିବେଶକୁ ସୌନ୍ଦର୍ଯ୍ୟକରଣ କରୁଛନ୍ତି । ହେଲେ ବର୍ତ୍ତମାନ ପୁରୁଣା କୋଠାକୁ ସାଜସଜ୍ଜା କରି ରଙ୍ଗଦେଇ ନୁତନ କୋଠାର ଆବରଣ ଢ଼ାଙ୍କି ଉଦଘାଟନ ଅପେକ୍ଷାରେ ଶିକୁଳି ପଦର ଉଚ୍ଚ ବିଦ୍ୟାଳୟ । ଆସନ୍ତା ମାସ ୨ ତାରିଖରେ ଗଜପତିର କିଛି ବିଦ୍ୟାଳୟର ସ୍ମାର୍ଟ୍ଲ କ୍ଳାସ ରୁମର ଉଦଘାଟନ ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି । ଯାହାକୁ ନେଇ ରାତି ଦିନ ଏକ କରି କାମ ଚାଲିଛି। ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍  ନିର୍ମାଣ ପାଇଁ ଘୋଷଣା ହୋଇଥିଲା ୨୮.୩.୨୦୨୧ରେ । ଆଉ କାମ ଆରମ୍ଭ ହେଲା ୧୮.୮.୨୦୨୧ରେ । ଗୋଟିଏ ମାସ ମଧ୍ୟରେ ଏହି ବିଦ୍ୟାଳୟର ଶୌଚାଳୟ ସହ କ୍ଲାସ ରୁମ ନିର୍ମାଣ ,ବଗିଚା କାମ ସାରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଓ ବିଡିଓ ସାର୍ଥକ ସୌରଭ ମହାପାତ୍ର  ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଛାତରୁ ପାଣି ଗଳୁଛି। କାନ୍ଥରେ ରଙ୍ଗ ଦେଲେ ଧୋଇ ହେଇଯାଉଛି । ମାତ୍ର ୮ ଦିନରେ ନିର୍ମାଣ ହୋଇଛି ଶୌଚାଳୟ। ତାହା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ।  କିଏ ଜାଣେ ଉଦଘାଟନ ହେବା ପରେ ଛାତ୍ର/ ଛାତ୍ରୀ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ କୋଠା ଭୁଷୁଡି ପଡି ଅଘଟଣ ଘଟିବ କହି ହେବ ନାହିଁ । ମୋହନାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଲାଗିଲାଣି ୫ ବର୍ଷ । ବ୍ଲକ କୋଠା ନିର୍ମାଣ ପାଇଁ ୩ ବର୍ଷ । ସାଧାରଣ ଘର ଖଣ୍ଡେ ନିର୍ମାଣ ପାଇଁ ଲାଗୁଛି ଗୋଟିଏ ବର୍ଷ କିନ୍ତୁ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ ଗୋଟିଏ ମାସ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ  ବିରୋଧ କରିଛନ୍ତି ଅଞ୍ଚଳବାସୀ ଓ ଅଭିଭାବକମାନେ।

Comments are closed.