ଯାତନା ଦେଉଛି ସ୍ମାର୍ଟସିଟି, ଅତିଷ୍ଠ କଲେଣି ମଶା

ଭୁବନେଶ୍ବର,୪ା୧୨(ମ.ପ୍ର): ସନ୍ଧ୍ୟାହେଲେ ଉଠେଇ ବସେଇ ଦେଉନାହାନ୍ତି। କାନପାଖରେ ଗୁଣୁଗୁଣୁ ଶବ୍ଦ କରିବା ସାଙ୍ଗକୁ କାମୁଡ଼ି ଚାଲୁଛନ୍ତି। ଗୁଡ୍‌ନାଇଟ, ମଶାଧୂପକୁ ମାନୁନାହାନ୍ତି। ମଶାମାନେ ଏମିତି ବେହାଲ କରୁଛନ୍ତି ସ୍ମାର୍ଟ ସିିଟି ବାସିନ୍ଦାଙ୍କୁ। ରାଜଧାନୀ ଏବେ ମଶାଙ୍କ ଅମରାବତୀ ପାଲଟିଛି। ଦିନ, ରାତି କିଛି ମାନୁନାହାନ୍ତି। ମଶାରି କାମ ଦେଉନି। ମଶାରି ବାହାରେ ଯେତିକି ଭିତରେ ବି ସେତିକି। ବିଏମ୍‌ସିର ମଶାବଂଶ ନିପାତ ଅଭିଯାନ ବିଫଳ ହୋଇଥିବାରୁ ମଶାଙ୍କ ସାନ୍ଧ୍ରତା ବଢ଼ିବାରେ ଲାଗିଛି। ବିଏମ୍‌ସି ଅଞ୍ଚଳରେ ପ୍ରତିବର୍ଷ ମଶା କାମୁଡ଼ାରେ ଶହ ଶହ ବାସିନ୍ଦା ମେଲେରିଆ, ଡେଙ୍ଗୁର ଶିକାର ହେଉଛନ୍ତି। ଏପରି କି ଅନେକଙ୍କ ପ୍ରାଣ ମଧ୍ୟ ଯାଇଥିବାର ନଜିର ରହିଛି। ମଶା ଡିମ୍ବ ନିପାତ ନିମନ୍ତେ ବିଏମ୍‌ସି ପଦକ୍ଷେପ ହାତକୁ ନେଇଥିଲେ ହେଁ କେଇଜଣ ଠିକା କର୍ମଚାରୀଙ୍କ ଦ୍ବାରା ଏହାର କାମ କରାଯାଉଥିବାରୁ ଏହାର ସୁଫଳ ମିଳୁନାହିଁ।

ସହରରେ ଦିନକୁ ଦୁଇଓଳା ମଶାଧୂଆଁ ଦେବା, ଡ୍ରେନରେ ମଶାତେଲ ସିଞ୍ଚନ ଦାୟିତ୍ବ ଠିକାସଂସ୍ଥା ହାତକୁ ଟେକିଦେଇଥିବାରୁ ଏହା ଠିକ୍‌ଭାବେ ହେଉନଥିବା ବାସିନ୍ଦା ଅଭିଯୋଗ କରିଛନ୍ତି।

ପ୍ରସ୍ତାବରେ ମଶାଖିଆ ମାଛ ମିସନ:
ସହରର ପ୍ରତି ଡ୍ରେନ୍‌ରେ ମଶାଖିଆ ମାଛ (ଗମ୍ବୁସିଆ) ଛାଡ଼ିବାକୁ ବିଏମ୍‌ସି ପ୍ରସ୍ତାବ ରଖିଛି। ଏନେଇ ବିଶେଷଜ୍ଞ ଟିମ୍‌ ରିପୋର୍ଟ ଦେଇଛନ୍ତି। ହେଲେ ଏହି ପ୍ରସ୍ତାବ କାଗଜ କଲମରେ ସୀମିତ ରହିଛି। ଏଯାଏଁ ରାଜଧାନୀର ପ୍ରମୁଖ ପ୍ରାକୃତିକ ନାଳରେ ଛୋଟଛୋଟ ନାଳଗୁଡ଼ିକର ସଂଯୋଗୀକରଣ ହୋଇ ନ ଥିବାରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରୁ ନ ଥିବା ଜଣାପଡ଼ିଛି।

ମଶାବଂଶ ବୃଦ୍ଧି କାରଣ: ସ୍ମାର୍ଟସିଟି ଭୁବନେଶ୍ବରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନରେ ଘୋଡ଼ଣି ପଡ଼ୁନି। ସ୍ବେରେଜ୍‌ ବ୍ୟବସ୍ଥା ଅଧାପନ୍ତରିଆ ହୋଇ ରହିଛି। ଅନେକ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦୀର୍ଘ ଦିନ ଧରି ପଡ଼ିରହୁଛି। ବିଭିନ୍ନ ଅଞ୍ଚଳରେ ଖାଲଖମାରେ ଅବ୍ୟବହୃତ ଜଳ ଜମି ରହୁଛି। ଗୃହନିର୍ମାଣ ଅବଶେଷ ବର୍ଷବର୍ଷ ଧରି ଚଳପ୍ରଚଳ ସ୍ଥାନ‌ରେ ପଡ଼ି ରହୁଛି। ଜଳାଶୟଗୁଡ଼ିକର ପନୁରୁଦ୍ଧାର କାମ ହେଉ ନ ଥିବାରୁ ମଶା, ମାଛି ବଂଶ ବୃଦ୍ଧିପାଉ ଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ପରିବେଶବିତ ମତ ଦେଇଛନ୍ତି।

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି:
ଖୋର୍ଦ୍ଧା ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିଛି। ୨୦୧୭ରେ ୨୬୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୮ରେ ୨୦୧ ରୋଗୀଙ୍କ ସଂଖ୍ୟା ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ା ୨୦୧୯ରେ ୩୧୮କୁ ବୃଦ୍ଧି ପାଇଥିଲା। ୨୦୨୦ରେ ମଧ୍ୟ ଡେଙ୍ଗୁମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ୨୦୧୭ରେ ୭୪୪ ମେଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୩୩୩ ଏବଂ ୨୦୧୯ରେ ଏହି ସଂଖ୍ୟା ୧୫୦କୁ ଖସି ଆସିଥିବା ଜଣାପଡ଼ିଛି।

ମତାମତ:
ଡା. ସୁମନ୍ତ ପଟ୍ଟନାୟକ: ମଶାଙ୍କ ସାନ୍ଧ୍ରତା ୩୦-୪୦ ପ୍ରତିଶତ ରହିଲେ ବିଶେଷ ପ୍ରଭାବ ପଡ଼ି ନଥାଏ ; କିନ୍ତୁ ଭୁବନେଶ୍ବରରେ ଏହା ୬୦ ପ୍ରତିଶତରୁ ଅଧିକ ରହିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବାସିନ୍ଦାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।

ଡା. ବସନ୍ତ ମିଶ୍ର ନଗର ସ୍ବାସ୍ଥ୍ୟ ଅଧିକାରୀ: ଡ୍ରେନ୍‌ରେ ଘୋଡ଼ଣି ନ ଥିବାରୁ ମଶାବଂଶ ବୃଦ୍ଧି ପାଉଛି। ତେଣୁ ମଶାବଂଶ ଲୋପ ପାଇଁ ତେଲ ପଡୁଛି। ମଶାମରା ଧୂଆଁ ଗାଡ଼ି ବୁଲୁଛି। ପାଣି ଜମୁଥିବା ଅଞ୍ଚଳରେ ମାଛ ଛଡ଼ା ଯାଉଛି। ଭୁବନେଶ୍ବର ମହାଗନଗର ନିଗମ ସ୍ବାସ୍ଥ୍ୟ ବିଭାଗରେ ପାଖାପାଖି ୨୦୦ କର୍ମଚାରୀ ଅଛନ୍ତି। ୬୭ ୱାର୍ଡରେ ଆଣ୍ଟିଲାର୍ଭା କାର୍ଯ୍ୟକ୍ରମ ଚାଲୁଛି ।

ଅଞ୍ଜନ ନାଥ, ବାସିନ୍ଦା: ଏକାଧିକ ମେଲେରିଆ ରୋଗୀ ଚିହ୍ନଟ ପରେ ବିଏମ୍‌ସିର ନିଦ ଭାଙ୍ଗୁଛି। ମଶାଧୂଆଁ ଦିଆ ହେଉନି କି ମଶାତେଲ ପଡ଼ୁନି। ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହୁଛି।

 

Comments are closed.