ଯାତନା ଦେଉଛି ସ୍ମାର୍ଟସିଟି-୧୭ : ଅଲୋଡ଼ା ‘ମୋ ବସ୍‌ ଷ୍ଟପ୍‌’

ରକ୍ଷଣାବେକ୍ଷଣ ଅଭାବ, ଭାଙ୍ଗିଦେଲେଣି ଦୁର୍ବୃତ୍ତ

ଭୁବନେଶ୍ବର : ସ୍ମାର୍ଟସିଟିରେ ସବୁ ଅଞ୍ଚଳର ଲୋକଙ୍କୁ ସହଜ ବସ୍‌ ସେବା ଯୋଗାଇ ଦେବା ନିମନ୍ତେ ୨୦୧୮, ନଭେମ୍ବର ୬ରେ ‘ମୋ ବସ୍‌’ ସେବା ଆରମ୍ଭ ହେଲା। ପ୍ରତି ଅଞ୍ଚଳରେ ସୁଲଭ ମୂଲ୍ୟରେ ବସ୍‌ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିଲା। ଆଗାମୀ ଦିନରେ ବିଦ୍ୟୁତ୍‌ଚାଳିତ ବସ୍‌ ​‌େ​‌ସବା ଯୋଜନା ବି ରହିଛି। ହେଲେ ଏବେ ମୋ ବସ୍‌ଷ୍ଟପ୍‌ଗୁଡ଼ିକ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛି।
ବିଭିନ୍ନ ଦଫାରେ ସହରରେ ପାଖାପାଖି ୨୨ଟି ରୁଟ୍‌ରେ ୨୦୦ରୁ ଊର୍ଦ୍ଧ୍ବ ମୋ’ ବସ୍‌ ଚାଲୁଛି। କୋଭିଡ ନିମନ୍ତେ ବସ୍ ଚଳାଚଳରେ କଟକଣା ଲାଗିଥିବାରୁ ଏବେ ୧୦୦ରୁ ଊର୍ଦ୍ଧ୍ବ ବସ୍‌ ୧୭ଟି ରୁଟ୍‌ରେ ଚଳାଚଳ କରୁଛି । ହେଲେ ଯାତ୍ରୀଙ୍କୁ ବିଭିନ୍ନ ରୁଟ୍‌ ସମ୍ପର୍କରେ ତଥ୍ୟ ଦେବା ଏବଂ ଯାତ୍ରୀଙ୍କ ବସା ଉଠା ନିମନ୍ତେ ୩୧କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୨ଶହରୁ ଊର୍ଦ୍ଧ୍ବ ବସ୍‌ ଷ୍ଟପ୍‌ ଲୋକଙ୍କ ବ୍ୟବହାରରେ ଆସୁ ନ ଥିବା ଦେଖିବାକୁ ମିଳୁଛି। ସବୁଠି ବସ୍‌ ନ ରହି ମୋ’ ବସ୍‌ ଷ୍ଟପ୍‌ (ବିକ୍ୟୁଏସ୍‌) ଏବଂ ଚିହ୍ନଟ ବସ୍‌ ଷ୍ଟପ୍‌ରେ ରହିବାକୁ ବ୍ୟବସ୍ଥା‌ ହୋଇଥିଲା। ପ୍ରତି ବସ୍‌ ଷ୍ଟପ୍‌ ୫ଶହ ମିଟର ଦୂରରେ ନିର୍ମାଣ ହୋଇଛି, କିନ୍ତୁ ବସ୍‌ ବସ୍‌ ଷ୍ଟପ୍‌ରେ ନ ରହି ବିଭିନ୍ନ ସ୍ଥାନରେ ରହୁଛି। ଏହାଦ୍ବାରା ରାସ୍ତାରେ ଭିଡ଼ ଲାଗୁଛି। ଅଟୋ ଏବଂ ଟ୍ୟାକ୍ସି ଚାଳକ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା ଅଟୋ ଚାଳକ ରବି ପଲାଇ କହିଛନ୍ତି। ଅନେକ ବସ୍‌ ଷ୍ଟପ୍‌ ଦୁର୍ବୃତ୍ତ ଭାଙ୍ଗିରୁଜି ଦେଇଥିବା ଜଣାପଡ଼ିଛି। ଆଚାର୍ଯ୍ୟ ବିହାର ବସ୍‌ ଷ୍ଟପ୍‌ରୁ ଦୁର୍ବୃତ୍ତ ଲାଇଟ୍‌ ତାଡ଼ି ନେଇଥିବାବେଳେ ସତ୍ୟନଗରର ବସ୍‌ ଷ୍ଟପ୍‌ରୁ ଛପର ଏବଂ ଷ୍ଟାଣ୍ଡ ଲାଇଟ୍ ଉପାଡ଼ି ନେଇଛନ୍ତି। ସେହିପରି ବାଣୀବିହାର ବସ୍‌ ଷ୍ଟପ୍‌ ସମ୍ମୁଖରେ ଡ୍ରେନ୍‌ ପାଇଁ ରାସ୍ତା ଖୋଳା ହେବା ସହିତ କାର୍‌ ଓ ବାଇକ୍‌, ଗାଡ଼ି ପାର୍କିଂ ହେବା ଦ୍ବାରା ଏହା ଲୋକଙ୍କ ସେବାରେ ଆସୁନାହିଁ। ରୁପାଲି ଛକ ନିକଟରେ ଥିବା ବସ୍‌ ଷ୍ଟପ୍‌ ଷ୍ଟାଣ୍ଡ ଲାଇଟ୍‌ ନଷ୍ଟ ହୋଇଛି, କିନ୍ତୁ ଛାତ ଲାଇଟ୍‌ ଦିନରାତି ଜଳୁଥିବା ଦେଖିବାକୁ ମିଳିଛି। ଆପୋଲୋ ହସ୍ପିଟାଲ ସମ୍ମୁଖ ନୋ’ ପାର୍କିଂ ଜୋନ୍‌ରେ କାର୍‌ ପାର୍କିଂ କରୁଥିବାରୁ ଏଠାରେ ଥିବା ବସ୍‌ ଷ୍ଟପ୍‌ ଆଢୁଆଳରେ ରହୁଛି। ଏହା ଯାତ୍ରୀଙ୍କ ବ୍ୟବହାରରେ ଆସୁନାହିଁ। ରାସ୍ତାରେ ଭିଡ଼ ଲାଗୁଥିବାରୁ ଏଠାର ବସ୍‌ ରହୁ ନାହିଁ। ସେହିପରି ଅନ୍ୟାନ୍ୟ ବସ୍‌ ଷ୍ଟପ୍‌ଗୁଡ଼ିକରେ କିଛି ନା‌ କିଛି ସମସ୍ୟା ରହିଥିବା ଦେଖିବାକୁ ମିଳିଛି। କୋଭିଡ ହେଉ ବ‌ା ସାଧାରଣ ସମୟରେ ବସ୍‌ ଷ୍ଟପ୍‌ ବ୍ୟବହାର ହ୍ରାସ ପାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷେ କ୍ରୁଟ୍‌ ପକ୍ଷରୁ କହାଯାଇଛି ଯେ, ବାତ୍ୟା ‘ଫଣି’ରେ ୧୯୭ଟି ବସ୍‌ ଷ୍ଟାଣ୍ଡ ଭାଙ୍ଗିରୁଜି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପର୍ଯ୍ୟାୟକ୍ରମେ ସବୁ ବସ୍‌ ଷ୍ଟପ୍ ମରାମତି କାମ ସରିଛି। ମାତ୍ର ଶୈଳଶ୍ରୀ ବିହାର ଏବଂ ଅନ୍ୟ ଦୁଇଟି ସ୍ଥାନରେ ଥିବା ବସ୍‌ ଷ୍ଟପ୍‌‌ ଅବସ୍ଥା ଭଲ ନାହିଁ।

ଦୂର ହେଉନି ସମସ୍ୟା
-ଆଚାର୍ଯ୍ୟ ବିହାର ବସ୍‌ ଷ୍ଟପ୍‌ରୁ ଦୁର୍ବୃତ୍ତ ଲାଇଟ୍‌ ତାଡ଼ି ନେଇଛନ୍ତି।
-ସତ୍ୟନଗରର ବସ୍‌ ଷ୍ଟପ୍‌ରୁ ଛପର ଏବଂ ଷ୍ଟାଣ୍ଡ ଲାଇଟ୍ ଉପାଡ଼ି ନେଇଛନ୍ତି।
-ସେବାରେ ଆସୁନି ବାଣୀବିହାର ବସ୍‌ ଷ୍ଟପ୍‌
-ରୁପାଲି ଷ୍ଟପ୍‌ରେ ଦିନରାତି ଜଳୁଛି ଛାତ ଲାଇଟ୍‌
-ଆପୋଲୋ ହସ୍ପିଟାଲ ସମ୍ମୁଖରେ ଆଢୁଆଳରେ ଷ୍ଟପ୍‌, ସାମ୍ନାରେ କାର୍‌ ପାର୍କିଂ
-ରାତିରେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି

Comments are closed.