ସ୍ୱେରେଜ୍‍ ଖାଲ, ଲୋକେ କଲବଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ତଥା ବ୍ୟସ୍ତବହୁଳ ରାସ୍ତାଭାବେ ପରିଗଣିତ ଝାରପଡ଼ା ଏବଂ ଲକ୍ଷ୍ମୀସାଗର ମୁଖ୍ୟ କେନାଲ୍‍ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଗତ କିଛି ମାସ ହେଲା ଏଠାରେ ସ୍ୱେରେଜ୍‍ କାମ ପାଇଁ ରାସ୍ତା ଖୋଳା ଯାଇଥିଲା। ଏବେବି କାମ ଶେଷ ହେବାର ନାଁ ଧରୁନି। ତେଣୁ ଅଞ୍ଚଳବାସୀ ଏବେ ଅଣନିଃଶ୍ୱାସୀ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ରାତି ପାହିଲେ ଏହି ଅଞ୍ଚଳରେ କେଉଁଠି ନା କେଉଁଠି କେବୁଲ ପାଇଁ ଭଲ ରାସ୍ତା ଖୋଳା ଯାଉଥିବାବେଳେ ଆଉ କେଉଁଠି ପାଣି ପାଇଁ ତ ଆଉ କେତେବେଳେ ସ୍ୱେରେଜ୍‌ କାମ ପାଇଁ ଅଚାନକ ଖୋଳା ଯାଉଛି। ଏହି ଅଞ୍ଚଳର ଆରମ୍ଭ ସ୍ଥଳରୁ ଟ୍ରାଫିକ୍‍ ଛକ ପର୍ୟ୍ୟନ୍ତ ଏବଂ ଜେଲ୍‍ ରୋଡ଼ ସହିତ ଗାଁ ଭିତର ରାସ୍ତା ଗତ କିଛି ମାସ ତଳେ କାମ କରାଯାଇଥିବା ବେଳେ ଏବେବି ଅନେକ ଜାଗାରେ ଅସମ୍ପୂର୍ଣ୍ଣ ରହିଛି। ଭଲ ରାସ୍ତା ନଷ୍ଟ ହୋଇ ଖାଲଖମା ହୋଇଥିବାବେଳେ ଏବେ ସୁଦ୍ଧା କୌଣସି କାର୍ୟ୍ୟ ଶେଷ ହେଉନାହିଁ। ଆଉ କେତେଦିନ ଏପରି ଚାଲିବ ତାହା ମଧ୍ୟ ସ୍ପଷ୍ଟ ଜଣାପଡୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ମାର୍ଟସିଟି ପ୍ରକଳ୍ପରେ ସବୁ ଅଞ୍ଚଳକୁ ସ୍ୱେରେଜ୍‍ ବ୍ୟବସ୍ଥା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଅଞ୍ଚଳରେ କାର୍ୟ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରାୟ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କେନାଲ ବନ୍ଧ କାମ ଶେଷ ହେଉନାହିଁ। ଗତ କିଛି ମାସ ହେଲା ସେହି ସ୍ଥାନଗୁଡ଼ିକ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲେ ବି ପୁଣି ସେଗୁଡ଼ିକ ଖାଲଖମାରେ ପରିଣତ ହୋଇଛି। ସେଥିରେ ଗାଡ଼ି ମୋଟର ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଏହି ଅଞ୍ଚଳର ରାସ୍ତା ଏବେ ଯମ ଯନ୍ତ୍ରଣା ଦେଉଥିବା ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ଜଗନ୍ନାଥ ନଗର ମୁଖ୍ୟ ଛକଠାରୁ ଆରମ୍ଭ କରି ଉଭୟ ପାର୍ଶ୍ବର କେନାଲ ବନ୍ଧ ଖନନ ହୋଇଥିବାରୁ ଗାଡ଼ି ମୋଟର ଯାତାୟାତ କରି ନପାରି ଅସୁବିଧାର ସମ୍ମୁଖୀନ ହଉଛି। ରାତ୍ରିରେ କଳ୍ପନା ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ଜାଣି ନପାରି ଖାଲରେ ଗଳିପଡ଼ି ଦୁର୍ଦଶା ଭୋଗ କରୁଛନ୍ତି। ବାରମ୍ବାର ଅଭିଯୋଗ କଲେ ବି କାମ ଶେଷ ହେଉନଥିବା ଯୋଗୁଁ ଲୋକେ କଲବଲ ହେଉଥିବା କହିଛନ୍ତି।

 

ମାର୍ଚ୍ଚ ସୁଦ୍ଧା ସରିବ କାର୍ୟ୍ୟ
ସ୍ମାର୍ଟସିଟି ପ୍ରକଳ୍ପରେ ଝାରପଡ଼ା ଓ ଲକ୍ଷ୍ମୀସାଗର ଅଞ୍ଚଳରେ ପ୍ରଥମ ପର୍ୟ୍ୟାୟରେ ସ୍ୱେରେଜ୍‌ କାର୍ୟ୍ୟ ଜାରି ରହିଥିବାବେଳେ ଏଥିପାଇଁ ୱାଟ୍‌କୋ ଅଧୀନରେ ସ୍ୱେରେଜ୍‍ ବୋର୍ଡ କାର୍ୟ୍ୟ କରୁଛି। ବିଶେଷକରି ଲକ୍ଷ୍ମସାଗର, ଝାରପଡ଼ା, ପଳାଶୁଣି, ପାଣ୍ଡରା ଏବଂ ଟଙ୍କପାଣି ଅଞ୍ଚଳ​‌େ​‌ର କାର୍ୟ୍ୟ ପାଇଁ ୧୪୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା କାର୍ୟ୍ୟ ଶେଷ ହେବା ଲକ୍ଷ୍ୟ ରହିଛି ବୋଲି ସ୍ୱେରେଜ ବୋର୍ଡ ଇଞ୍ଜିନିୟର ଭରତ ଚନ୍ଦ୍ର ଦଳାଇ କହିଛନ୍ତି। ତାଙ୍କ କହିବା ଅନୁସାରେ କେଶୁରାସ୍ଥିତ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ସହିତ ଉପରୋକ୍ତ ଅଞ୍ଚଳର ସ୍ୱେରେଜ୍‍ ଲାଇନ୍‍ ସଂଯୋଗ କରାଯାଇ କାର୍ୟ୍ୟକ୍ଷମ କରାଯିବ।
ରାସ୍ତା ତମାମ୍‍ ବାଲିମାଟି
କେନାଲ୍‍ ରୋଡ଼ରେ ସ୍ୱେରେଜ୍‍ କାର୍ୟ୍ୟ ଜାରି ରହିଥିବାରୁ ଏହି ଅଞ୍ଚଳର ରାସ୍ତାଘାଟ ଏବେ ବାଲିମାଟି, ମେଣ୍ଟାଲ୍‍ ଓ ଚିପ୍ସ ଆଦିରେ ପୂର୍ଣ୍ଣ ହୋଇଛି। ଧୂଳି ଧୂଆଁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଟ୍ରାଫିକ୍‍ ସମସ୍ୟା ଜଟିଳ ହୋଇଛି। ଲୋକେ ଅଣନିଃଶ୍ୱାସୀ ହେଉଥିବା କହିଛନ୍ତି।
ମତାମତ
ଡ. ୟୁ.ଏନ୍‍ ସାହୁ(ସଭାପତି- ବରିଷ୍ଠ ନାଗରିକ ଫୋରମ): ଏବେ ସବୁ ରାସ୍ତା ଘାଟ ଖାଲଖମା, ଧୂଳିବାଲିରେ ପୂର୍ଣ୍ଣ ହୋଇଥିବାବେଳେ ଘରୁ ପଦାକୁ ବାହାରିବା ସମ୍ଭବ ହେଉନି। ରାସ୍ତାର ଅବସ୍ଥା ଏପରି ହୋଇଛି ଏଥିରେ ଗାଡ଼ି ଚଳାଇ ଯିବା ସମ୍ଭବ ହେଉନି। ଦୀର୍ଘ ଦିନ ଧରି କାମ ଶେଷ ହେଉନାହିଁ।
ଶ୍ରୀଧର ଜେନା(ପୂର୍ବତନ କର୍ପୋରେଟର): କେନାଲ ବନ୍ଧ ସ୍ୱେରେଜ୍‌ କାମ ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବାବେଳେ ଆସନ୍ତା ମାସରେ ସଂଯୋଗ କରାଯିବ। ଯେଉଁଠି ଲୋକଙ୍କ ଯାତାୟାତ ଅସୁବିଧା ହେଉଛି ତାକୁ ଦୃଷ୍ଟିରେ ରଖି ତୁରନ୍ତ ମରାମତି କରାଯାଉଛି। ଆସନ୍ତା ମାର୍ଚ୍ଚ ଭିତରେ ରାସ୍ତା ଏବଂ ​‌େ​‌ସ୍ୱରେଜ୍‍ କାର୍ୟ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ମିଳିଛି।
ପ୍ରଶାନ୍ତ କୁମାର ଜେନା(ବାସିନ୍ଦା): ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରହୁନି। ରାତିଅଧିଆ ଖୋଳା ପୋତା ଯାଉଛି। ସାଧାରଣ ଲୋକ ଏଥିରେ ଅସୁବିଧା ଭୋଗ କରୁଛନ୍ତି। ମନମୁଖୀ କାମ ହେଉଥିବାରୁ ଏହାର ଶେଷ କେବେ ତାହା ମଧ୍ୟ ଜାଣିବା ସମ୍ଭବ ହେଉନି।

Comments are closed.