ଶ୍ରମିକ ସ୍ପେଶାଲ ଟ୍ରେନରେ ଚାଲିଛି ସ୍ମଗଲିଂ: ଦିଲ୍ଲୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ସିଗାରେଟ

ଶ୍ରମିକ ସ୍ପେଶାଲ ଟ୍ରେନରେ ସ୍ମଗଲିଂ ? କେହି କେବେ ଏ କଥା ବିଶ୍ବାସ କରିପାରିବ ? ମାତ୍ର ସତକୁ ସତ ଦିଲ୍ଲୀ ପୁଲିସ ହାତରେ ଧରା ପଡ଼ିଛି ଏହିପରି ଏକ ଘଟଣା । ବୁଧବାର ଦିଲ୍ଲୀ ପୁଲିସ ଏକ ଶ୍ରମିକ ସ୍ପେଶାଲ ଟ୍ରେନରୁ ୪୦ ଲକ୍ଷ ଟଙ୍କାର ଚୋରା ସିଗାରେଟ୍ ଜବତ କରିଛି । ପ୍ୟାରିସ୍ ବ୍ରାଣ୍ଡର ଏହି ସିଗାରେଟ ବାଂଲାଦେଶରୁ ଚୋରାରେ ଆସିଥିବା ଅନୁମାନ କରାଯାଉଛି ।

କରୋନା ସମୟରେ ଲୋକଙ୍କ ସମସ୍ୟାକୁ ଦେଖି ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି । ମାତ୍ର କିଛି ଲୋକ ଏହାକୁ ନିଜ ଚୋରା ବେପାର ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି । ତେବେ ଜଣେ ସାଧାରଣ ଯାତ୍ରୀଙ୍କ ଚତୁରତା ଦ୍ବାରା ଏକ ବଡ଼ ଚୋରା କାରବାରକୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଏକ ସ୍ବତନ୍ତ୍ର ଟ୍ରେନରେ ୧୫ଟି ଡ଼ବାରେ ପ୍ୟାକିଂ ହୋଇ ରହିଥିବା ୪.୫ ଲକ୍ଷ ସିଗାରେଟକୁ କେନ୍ଦ୍ରୀୟ ସୀମା ଶୁଳ୍କ ଅଧିକାରୀମାନେ ଧରିଛନ୍ତି । ଏହି ସାମଗ୍ରୀ ଟ୍ରେନର ଏକ ମାଲବଗିରେ ସଂରକ୍ଷିତ ରଖାଯାଇଥିଲା । ଏହି ଟ୍ରେନ୍ ହାୱଡ଼ାରୁ ଅମୃତସର ଦେଇ ଦିଲ୍ଲୀ ଯାତାୟତ କରିଥାଏ । ବାଂଲାଦେଶ ପ୍ରସ୍ତୁତ ଏହି ସିଗାରେଟ ବାଂଲାଦେଶ ସୀମା ଦେଇ ବେଆଇନ ଭାବରେ ଭାରତ ଆସିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।

Comments are closed.