୧୮ ଫେବୃଆରୀରେ ବସ୍ତିବାସିନ୍ଦାଙ୍କ ବିଏମସି ସମ୍ମୁଖରେ ଗଣ ସମାବେଶ

କୋଠାଘର ଆବଣ୍ଟନ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଏବଂ ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା ଦାବିରେ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ , ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଉଛେଦ ବନ୍ଦ, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ଅସାଧୁମେଣ୍ଟ ଓ ବିଲ୍ଡରଙ୍କ ସ୍ୱାର୍ଥରେ ଆକ୍ରମଣର ଶିକାର ପୀଡ଼ିତଙ୍କୁ ହାତକଡ଼ି ପକାଇ ଜେଲ ପଠାଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ୱନ, ବସ୍ତି ଆଇନ ପରିବାର ସଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ତାଲିକାରେ ଅନ୍ତର୍ଭୁକ୍ତ କରିବା, ବସ୍ତିଭାଙ୍ଗି ବସ୍ତି ଗଢ଼ିବା ନୀତି ବାତିଲ ଆଦି ଦାବିରେ ଆସନ୍ତା ୧୮ ଫେବୃଆରୀ ବିଧାନସଭାର ପ୍ରଥମ ଦିବସରେ ବସ୍ତିବାସିନ୍ଦା ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ଗଣ ସମାବେଶ ଆୟୋଜନ କରିବେ ବୋଲି, ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଠାରେ ଅନୁଷ୍ଠିତ ମୁକ୍ତାକାଶ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ଭୁବନେଶ୍ୱରରେ ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ବିଏସୟୁପି ଯୋଜନାରେ କୋଠାଘର ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ବସ୍ତିରେ ପ୍ରକୃତରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇ ସେମାନଙ୍କ ଘରକୁ ବଳପୂର୍ବକ ତଥା ଷଡ଼ଯନ୍ତ୍ର ମୂଳକ ଭାବେ ଉଛେଦ କରାଯାଉଛି। କିନ୍ତୁ ଯେଉଁମାନେ ବସ୍ତିରେ କେବେ ରହିନଥିଲେ, ଏପରିକି ଭୁବନେଶ୍ୱରର ବାସିନ୍ଦା ନଥିଲେ, ସରକାରୀ ଚାକିରୀ କରିଛନ୍ତି, ଭୁବନେଶ୍ୱରରେ ନିଜସ୍ୱ ଦାମୀ ଆପାର୍ଟମେଣ୍ଟ ଓ କୋଠାଘର ରହିଛି ସେମାନଙ୍କ ନାମରେ ଏହି କୋଠାଘର ଆଲଟମେଣ୍ଟ ହୋଇଛି। ବିଏମସି, ବିଡିଏ, ସିଏଲଟିସି ଅଧିକାରୀ କର୍ମଚାରୀ ମାନେ ଶାସକ ଦଳ ନେତାଙ୍କ ସହ ଅସାଧୁମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଭିତିରିଆ କାରବାର କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି କରିଛନ୍ତି। ଅନ୍ୟପକ୍ଷରେ ମାତ୍ର କିଛି ଘରକୁ ବହୁତଳ ପ୍ରାସାଦରେ ଗୋଟିଏ କୋଠରୀର କୋଠାଘର ଦେଇ ବଳକା ଜମି ଗୁଡିକରୁ ବ୍ୟାପକ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ତଥା ଲୋକଙ୍କୁ ଭାଗ ଭାଗ କରି ଚକ୍ରାନ୍ତ କରି ବସ୍ତି ଉଛେଦ ଜାରୀ ରଖିଛନ୍ତି। ସ୍ଵଛତା ଓ ୫ଟି ବିଭାଗ ସୃଷ୍ଟି କରିଥିବା ସରକାର କୌଣସି ସରକାରୀ ନିୟମ ଅନୁଯାୟୀ ବିଜ୍ଞପ୍ତି, ନୋଟିସ ଆଦି ନଦେଇ ଘର ଆବଣ୍ଟନ ପାଇଁ ଲୋକଙ୍କ ଠାରୁ ବିଡିଏ ବ୍ୟାଙ୍କ ଜରିଆରେ ୧ ଲକ୍ଷ ୨୦ ହଜାର ଲେଖାଏଁ ଟଙ୍କା ଡିପୋଜିଟ ନେଇଛି। ଏଭଳି ବିଭିନ୍ନ ବସ୍ତିବାସିନ୍ଦାଙ୍କ ଠାରୁ ୩-୪ ବର୍ଷ ଧରି ଟଙ୍କା ଡିପୋଜିଟ ନେଇଥଲେ ମଧ୍ୟ ଘର ଦେଉନାହିଁ। ପଥରବନ୍ଧରେ ୨୭ ବର୍ଷ ଭିତରେ ୧୪୮୦ ପରିବାରଙ୍କ ଭିତରୁ ମାତ୍ର ୨୪୦ ଘର ନିର୍ମାଣ ହୋଇଛି। ମହିସିଆଖାଲ ବସ୍ତିରେ ମାତ୍ର ୪୮୦ ଘର, ମଣ୍ଡପ ବସ୍ତିରେ ୧୫୦ ଘର ଓ ନବୀନ ନଗରର ୩୨ ଘର ନିର୍ମାଣ ସରିଛି। ଏଥିରୁ ଖୁବ କମ ସଂଖ୍ୟକ ଲୋକଙ୍କୁ ଆଲଟମେଣ୍ଟ ଅର୍ଡର ଦିଆଯାଇଛି। ଏକ ଘରୋଇ ବିଲଡ଼ରଙ୍କୁ ୨୫ ଏକର ୬୦ ଡିସିମିଲି ଜମି ଟେକିଦେବାକୁ ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ଉଚ୍ଛେଦ କରିବାକୁ ବାରମ୍ବାର ଉଦ୍ୟମ କରି ଲୋକଙ୍କ ପ୍ରତିରୋଧ ଆନ୍ଦୋଳନ ଯୋଗୁଁ ବିଫଳ ହେବା ପରେ, ମାତ୍ର ଗୋଟିଏ ଏକର ଜମିରେ କୋଠାଘର ଦେଇ ୨୪ ଏକର ଜମି ବିଲଡରଙ୍କୁ ଟେକିଦେବାକୁ ବିଏସୟୁପି ଯୋଜନାରେ ଆରମ୍ଭ ହୋଇଥିଲା ୧୯୨ କୋଠରୀ ନିର୍ମାଣ। ୨୦୦୮ ରୁ ୨୦୨୧ ଭିତରେ ମାତ୍ର ୧୭୯ ପରିବାରଙ୍କୁ ଏହି ଘର ଦିଆଯାଇଛି। ରାଜୀବ ଆବାସ ଯୋଜନା ସର୍ଭେ ତାଲିକା ଅନୁସାରେ ଏହି ଦୁଇ ବସ୍ତିରେ ୪୩୧ ପରିବାର ରହୁଥିଲେ। ୧୭୯ ପରିବାର ଘର ପାଇବା ପରେ ଚିହ୍ନଟ ହୋଇଥିବା ତଥା ଥଇଥାନ ଯୋଗ୍ୟ ଆହୁରୀ ୨୫୨ ପରିବାର ରହିଛନ୍ତି। କିନ୍ତୁ ବିଏମସି ୨୦୨୧ ଜାନୁଆରୀ ମାସ ଆର ଟି ଆଇ ତଥ୍ୟ ଅନୁସାରେ ଏହି ଦୁଇ ବସ୍ତିରେ ଆଉ ମାତ୍ର ୧୩୭ ପରିବାର ରହିଥିବା ଦର୍ଶାଇଛନ୍ତି। ୧୧୫ ପରିବାରକୁ ସମ୍ପୂର୍ଣ୍ଣ ଲିଷ୍ଟରୁ ଗାଏବ କରି ଦେଇଛନ୍ତି। ୧୩୭ ପରିବାରଙ୍କୁ ଘର ଦେବା ପାଇଁ ମୌଖିକ ଭାବେ ଟଙ୍କା ଡ଼ିପୋଜିଟ କରିବାକୁ କହି ସେମାନଙ୍କ ସହଯୋଗରେ ବସ୍ତିର ବାକି ପରିବାରଙ୍କ ଘର ଉଛେଦ ଉଦ୍ୟମ କରୁଛନ୍ତି। ଏହି ବେଆଇନ ଉଛେଦ ବିରୁଦ୍ଧରେ ଏବଂ ଆବଣ୍ଟନ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ଆନ୍ଦୋଳନ ଜାରୀ ରହିଥିଲା। ସେମାନଙ୍କ ଆବେଦନ ଉପରେ ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ବିଡିଏ ସେକ୍ରେଟେରୀଙ୍କ ଚାମ୍ବରରେ ଗତ ୨୫ ଜାନୁଆରୀ ଅପରାହ୍ନ ୪ ଘଟିକାରେ ଏକ ଶୁଣାଣୀ ପାଇଁ ମିଳିତ ବସ୍ତିକମିଟିର ନେତାଙ୍କୁ ସରକାରୀ ଚିଠି ଜରିଆରେ ଡକା ଯାଇଥିଲା। ଏଥିସହ ଏହି ଘର ଆବଣ୍ଟନରେ ଅନିୟମିତତା ଓ ସ୍ଵଛତା ପାଳନ ନକରିବା ସମ୍ପର୍କରେ ବିଏମସି ବିଡିଏ ଓ ନଗର ଉନ୍ନୟନ ବିଭାଗରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା। ସବୁ ଗୁମର ଖୋଲିଯିବା ଡ଼ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ କର୍ମଚାରୀ ଓ ସେମାନଙ୍କ ସହଯୋଗୀ ଶାସକ ଦଳର ନେତାମାନେ ଅସାଧୁମେଣ୍ଟ ଜରିଆରେ ଅସୁରକ୍ଷିତ ଅବସ୍ଥାରେ ଥିବା ତଥା ଜାଲିଆତି କରି ଘର ହାତେଇଥିବା ଲୋକଙ୍କୁ ଅସ୍ତ୍ର କରି ଆନ୍ଦୋଳନକାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି।। କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା ବିଲଡ଼ରଙ୍କ ସହ ବୁଝାମଣା କରି ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଇ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡି ପିନ୍ଧାଇ ଜେଲ ପଠାଇଛନ୍ତି। ବସ୍ତି ନେତା ଦୀନବନ୍ଧୁ ସାହୁ, ପ୍ରଶାନ୍ତ ବେହେରା ଓ ସନ୍ତୋଷ ସାହୁ ଝାରପଡା ଜେଲରେ ୫ ଦିନ ରହି ଗତ ୨୬ ତାରିଖରେ ଜାମିନରେ ମୁକୁଳିଛନ୍ତି। ଅନେକ ଆନ୍ଦୋଳନକାରୀଙ୍କ ନାମରେ ମିଛ କେଶ ଦେଇ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି। କେବଳ ଏହି ଦୁଇ ବସ୍ତି ନୁହେଁ। ଯଦିଓ ସରକାର ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା କହି ଆଇନ ପ୍ରଣୟନ କରିଛନ୍ତି। ଜାଗା ମିସନ, ବିଭିନ୍ନ କୋଠାଘର ଯୋଜନାର ବ୍ୟାପକ ପ୍ରଚାର କରୁଛନ୍ତି। ୧୯୨ ଘରକୁ ୨୯୨ ବସ୍ତିକୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଦେଖାଇ ୪-୫ ଥର ପର୍ୟ୍ୟନ୍ତ ଭୋଟ ସଂଗ୍ରହ କରୁଛନ୍ତି କିନ୍ତୁ ଘର ଦେଉନାହାନ୍ତି। ବରଂ ଚକ୍ରାନ୍ତ କରି ଲୋକଙ୍କୁ ଭାଗ ଭାଗ କରି ଜମିରୁ ବସ୍ତିବାସିନ୍ଦାଙ୍କୁ ହଟେଇବା କାର୍ଯ୍ୟ ବଢ଼େଇ ଚାଲିଛନ୍ତି। ବସ୍ତି ଆଇନ ପରିବାର ସଜ୍ଞାକୁ କଡାକଡି ପାଳନ କରିବା ଆଦି ଦାବିରେ ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦା ବିଏମସି ଚାଲ ଅଭିଯାନରେ ସାମିଲ ହୋଇ ଏହି ଶାନ୍ତିପୂର୍ଣ୍ଣ ଗଣ ପ୍ରତିବାଦ ସମାବେଶକୁ ସଫଳ କରିଵାକୁ ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ ଓ ସାଧାରଣ ସମ୍ପାଦିକା କମ୍ରେଡ଼ ପ୍ରମିଳା ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧରଣଙ୍କୁ ନିବେଦନ କରିଛନ୍ତି।
ବସ୍ତିମୁକ୍ତ ସହରର ସ୍ଲୋଗାନ ଦେଉଥିବା ସରକାର ବସ୍ତିଭାଙ୍ଗି ନୂଆ ବସ୍ତି ଗଢୁଛନ୍ତି। ବର୍ତ୍ତମାନ ରହୁଥିବା ଅବସ୍ଥା ଠାରୁ ଆହୁରୀ ଜଘନ୍ୟ ଅବସ୍ଥା ମଧ୍ୟକୁ ଲୋକଙ୍କୁ ଠେଲି ଦେଉଛନ୍ତି। ଘରୋଇ ବିଲଡର, ଜମି ମାଫିଆଙ୍କ ସ୍ୱାର୍ଥରେ ଶାସକ ଦଳର ପ୍ରତିନିଧିଙ୍କ ଜରିଆରେ ଲୋକଙ୍କୁ ଭୁଲେଇ ଫୁସୁଲେଇ ମିଛ ପ୍ରତିଶୃତି ଦେଇ ଗୋଟିଏ ଜମିରୁ ଆଉ ଏକ ସରକାରୀ ଜମିକୁ ସ୍ଥାନାନ୍ତର କରି ଦେଉଛନ୍ତି କିନ୍ତୁ ପ୍ରତିଶ୍ରୁତି ମୁତାବକ ସ୍ଥାୟୀ ଥଇଥାନ କରିବା ବଦଳରେ ସେମାନଙ୍କୁ ଠକି ଦେଉଛନ୍ତି। ନାରାୟଣୀ, ସହିଦ ନଗର ତେଲୁଗୁ ସାହି, ବୁଦ୍ଧ ନଗର, ଭେଙ୍କଟେଶ୍ୱର, ଫାର୍ମଗେଟ, ଜଗନ୍ନାଥ ସାହି, ନୀଳମାଧଵ ଆଦି ଅର୍ଦ୍ଧ ଶତକ ପ୍ରାୟ ବସ୍ତି ଏହିଭଳି ସରକାରୀ ବାବୁ ଓ ଶାସକ ଦଳ ନେତାଙ୍କ ଚକ୍ରାନ୍ତର ଶିକାର ହୋଇ ଜାଗା ଛାଡିଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଯାଇଛି। ସେମାନଙ୍କ ସହ ପ୍ରତାରଣା କରାଯାଇଛି। ଏବେ ସାଲିଆସାହି ବସ୍ତି ଉଛେଦ ପାଇଁ ମଧ୍ୟ ସମାନ ନୀତି ଆପଣା ଯାଇଛି। ସରକାରଙ୍କ ଏଭଳି ହୀନ ଷଡ଼ଯନ୍ତ୍ରମୂଳକ ବସ୍ତି ଉଛେଦ ନୀତିକୁ ଉପସ୍ଥିତ ସମସ୍ତ ବସ୍ତି ନେତାମାନେ ତୀବ୍ର ସମାଲୋଚନା କରିଥିଲେ। ସରକାର ଏହି ଭୁଆଁବୁଲା ନୀତି ପ୍ରତ୍ୟାହାର ନକଲେ ସେମାନେ ଏହାର କଡା ଜବାବ ଦେବେ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ, ବସ୍ତି ନେତା ରାମଚନ୍ଦ୍ର ସାହୁ, ପୂଜା ଦାସ ଆଦି ବସ୍ତିନେତା ଏବଂ ପୁରୀ ବସ୍ତି ସୁରକ୍ଷା ମଞ୍ଚର ସଭାପତି କୃଷ୍ଣ ମୋହନ ପ୍ରଦାନ ଆଦି ଉପସ୍ଥିତ ଥିଲେ। ବସ୍ତି ଆନ୍ଦୋଳନକାରୀଙ୍କ ସମର୍ଥନରେ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ଏବଂ ଦଳିତ ନେତ୍ରୀ ମୀନା ଭୋଇ ମଧ୍ୟ ଏହି ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ।

Comments are closed.