ବୀରାପ୍ପାନଙ୍କ ଝିଅ ବିଜେପି ତାମିଲନାଡ଼ୁ ଯୁବ ଶାଖା ଉପାଧ୍ୟକ୍ଷ ନିଯୁକ୍ତ

ଏକଦା ଦକ୍ଷିଣ ଭାରତରେ ଆତଙ୍କ ସୃଷ୍ଟି କରିଥିବା ତଥାକଥିତ ଚନ୍ଦନକାଠ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ୟା ବୀରାପ୍ପାନଙ୍କୁ ବିଜେପି ଦେଇଛି ନୂତନ ନିଯୁକ୍ତି । ତାମିଲନାଡ଼ୁ ବିଜେପି ଯୁବଶାଖାର ଉପାଧ୍ୟକ୍ଷ ଭାବରେ ସେ ନିଯୁକ୍ତି ପାଇଛନ୍ତି । ବୀରାପ୍ପାନ ଦାନ୍ତ ପାଇଁ ୧୦୦ରୁ ଅଧିକ ହାତୀକୁ ଚୋରି କରି ହତ୍ୟା କରିଥିବା ଏବଂ ଚନ୍ଦନକାଠ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ୨୦୦୪ରେ ସେ ପୁଲିସ ଏନକାଉଣ୍ଟରରେ ପ୍ରାଣ ରାଇଥିଲେ । ଜଣେ ଆଇନ ସ୍ନାତକ ବିଦ୍ୟା ଏକ ସ୍କୁଲ ଚଳାଉଛନ୍ତି ଓ ସମାଜସେବା କରୁଛନ୍ତି । ଗତ ଫେବ୍ରୁଆରୀରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ମାନବତା ଉପରେ ବିଶ୍ଵାସ କରନ୍ତି ଓ କୌଣସି ନିର୍ଦିଷ୍ଟ ସମ୍ପ୍ରଦାୟର ବୋଲି ନିଜକୁ ମାନନ୍ତି ନାହିଁ ।

vidya virappan

ରାଜ୍ୟ ବିଜେପି ନେତୃତ୍ଵଙ୍କ ଏକ ଫେସବୁକ୍ ପୋଷ୍ଟରେ ବିଦ୍ୟାଙ୍କୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ସେ ତାଙ୍କ ବାପାଙ୍କୁ ଜୀବନରେ ମାତ୍ର ଥରେ ଦେଖିଛନ୍ତି ଯେତେବେଳେ ସେ ସ୍କୁଲରେ ପଢ଼ୁଥିଲେ ଓ ମାତ୍ର ୬/୭  ବର୍ଷର ହୋଇଥିଲା ବୋଲି ବିଦ୍ୟା କହିଛନ୍ତି । ୨୦୦୦ ମସିହାରେ ବୀରାପ୍ପାନ କନ୍ନଡ଼ ଅଭିନେତା ରାଜକୁମାରଙ୍କୁ ଅପହରଣ କରିବା ପରେ ଜାତୀୟସ୍ତରରେ ଚର୍ଚିତ ହୋଇଥିଲେ। ଅପହରଣର କିଛି ସମୟ ପରେ ସେ ରାଜକୁମାରଙ୍କୁ ଛାଡ଼ି ଦେଇଥିଲେ । କେବଳ ଚର୍ଚାରେ ରହିବା ଓ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଏହି ଅପରହଣ କରାଯାଇଥିଲା ବୋଲି ପରେ ବୀରାପ୍ପାନ କହିଥିଲେ । ଏହାର ୪ ବର୍ଷ ପରେ କେ. ବିଜୟ କୁମାରଙ୍କ ନେତୃତ୍ଵରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ବୀରାପ୍ପାନଙ୍କୁ ଏନକାଉଣ୍ଟର କରିଥିଲା । ଏହି ସଫଳତା ପାଇଁ କୁମାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଥିଲେ ।

Comments are closed.