ଆତ୍ମନିର୍ଭର ଭାରତ: ଦେଶର ପ୍ରଥମ ଘରୋଇ ରକେଟ ଇଞ୍ଜିନ ‘ରମଣ’ ପରୀକ୍ଷଣ ସଫଳ

ହାଇଦ୍ରାବାଦ ସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀ  ‘ସ୍କାଇରୁଟ୍ ଏରୋସ୍ପେଶ’ ରକେଟ ଇଞ୍ଜିନର ପରୀକ୍ଷଣ ସଫଳତାର ସହ ଶେଷ କରିଛି । ଏହି ରକେଟ ଇଞ୍ଜିନର ନାମ ‘ରମଣ’ ରଖାଯାଇଛି । ଏହି ଇଞ୍ଜିନ ଅନେକ ଉପଗ୍ରହକୁ ଏକ ସମୟରେ ଅଲଗା ଅଲଗା କକ୍ଷପଥରେ ସ୍ଥାପନ କରିବାକୁ ସକ୍ଷମ । କେବଳ ସେତିକି ନୁହେଁ ‘ରମଣ’  ଭାରତର ପ୍ରଥମ ୧୦୦% ଥ୍ରୀ-ଡ଼ି ପ୍ରିଣ୍ଟେଡ଼୍ ବାୟ ପ୍ରେପେଲେଣ୍ଟ ତରଳ ରକେଟ ଇଞ୍ଜନ ଇଞ୍ଜେକ୍ଟର ଏବଂ ଏହାର ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି ବୋଲି କହିଛନ୍ତି  ସ୍କାଇରୁଟର ସହ ପ୍ରତିଷ୍ଠାତା ପୱନ କୁମାର ଚନ୍ଦାନା । ସେ କହିଛନ୍ତି ଯେ ପାରମ୍ପରିକ ରକେଟ ନିର୍ମାଣ ତୁଳନାରେ ଏହି ଇଞ୍ଜିନ​‌ରେ ଦ୍ରବ୍ୟମାନ ୫୦% କମ୍ ଓ ଏହାର ଲିଡ଼ ଟାଇମ୍ ୮୦% ଅଧିକ ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକମାନଙ୍କ ଦ୍ବାରା ସ୍ଥାପିତ ଷ୍ଟାର୍ଟଅପ୍ ‘ସ୍କାଏ ରୁଟ’ ଦେଶର ପ୍ରଥମ ଘରୋଇ ଅନ୍ତରୀକ୍ଷ ପ୍ରକ୍ଷେପଣ ଯାନ ପ୍ରସ୍ତୁତ କରିଛି । ପରୀକ୍ଷଣ ପୂର୍ବରୁ କମ୍ପାନୀ ପକ୍ଷରୁ ରକେଟ ସଂପର୍କରେ ସମସ୍ତ ତଥ୍ୟ ଅତ୍ୟନ୍ତ ଗୋପନ ରଖାଯାଇଥିଲା । ସ୍କାଏରୁଟ୍ ପକ୍ଷରୁ କୁହାଯାଇଛି ଯେ ଏହି ଇଞ୍ଜିନ ଅନେକବାର କାର୍ଯ୍ୟକ୍ଷମ ହୋଇପାରେ । ଏହାର ସବୁଠାରୁ ବଡ଼ କ୍ଷମତା ହେଲା ଏହି ପ୍ରକ୍ଷେପକ ଯାନ ବା ଇଞ୍ଜିନ ଗୋଟିଏ ମିଶନରେ ଅନେକ ଉପଗ୍ରହକୁ ଅନେକ କକ୍ଷପଥରେ ସ୍ଥାପନ କରିବାକୁ ସକ୍ଷମ । ସହ ପ୍ରତିଷ୍ଠାତା ପୱନ ଚନ୍ଦାନାଙ୍କ ସୂଚନା ଅନୁସାରେ କମ୍ପାନୀର ୨ଟି ରକେଟ ୬ ମାସ ମଧ୍ୟରେ ଉତକ୍ଷେପଣ ନିମନ୍ତେ ପ୍ରସ୍ତୁତ ହୋଇ ପାରିବ ।

ସ୍କାଇରୁଟର ଅନ୍ୟତମ ପ୍ରତିଷ୍ଠାତା ତଥା ଚିଫ୍ ଅପରେଟିଂ ଅଫିସର ନାଗା ଭାରତ କହିଛନ୍ତି ଯେ ରକେଟ ଲଞ୍ଚ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ନିଜସ୍ବ ସଫ୍ଟୱେର ବିକଶିତ କରାଯାଇଛି । ଏହାର ନେଭିଗେସନ, କଂଟ୍ରୋଲ ଫଙ୍କସନ ଓ ଅନବୋର୍ଡ଼ ଆଭିୟୋନିକ୍ସ ମଡ଼େଲ ପରୀକ୍ଷଣ ଚାଲିଛି । କମ୍ପାନୀ ୨୦୨୧ ଡ଼ିସେମ୍ବର ୨୦୨୧ ମଧ୍ୟରେ ନିଜର ପ୍ରଥମ ଲଞ୍ଚିଂ କରିବ ବୋଲି ନାଗା ଭାରତ ଉଲ୍ଲେଖ କରି ପ୍ରଥମ ଲଞ୍ଚ ଭେହିକିଲ୍ ନାମ ବିକ୍ରମ-୧ ରଖାଯାଇଛି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ବିକ୍ରମ-୧ର ନିର୍ମାଣ ଜାରି ରହିଛି । କୌଣସି ଘରୋଇ କମ୍ପାନୀ ଉପଗ୍ରହ ଉତକ୍ଷେପଣ କରିବାକୁ ଇଞ୍ଜିନ ପ୍ରସ୍ତୁତ କରିବା ଭାରତରେ ପ୍ରଥମ ଘଟଣା । ଆଗାମୀ ଦିନରେ ତାଙ୍କ କମ୍ପାନୀ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଇସ୍ରୋ ସହ କଥାବାର୍ତା କରାଯିବା ସହ ସହାୟତା ଲୋଡ଼ାଯାଇଛି ବୋଲି ନାଗା ଭାରତ କହିଛନ୍ତି ।

Comments are closed.