ପଦକ ଫେରାଇବେ ‘ପଦ୍ମଶ୍ରୀ’

-ପେଟ ପାଇଁ ବିକୁଛନ୍ତି ଆମ୍ବସଢ଼ା ଓ ଖଲିପତ୍ର, -ଇନ୍ଦିରା ଆବାସ ଅଧାଗଢ଼ା; ଚାଳଘରେ ପରିବାର
-ଛେଳି ଗୁହାଳରେ ଝୁଲୁଛି ‘ପଦ୍ମଶ୍ରୀ’ ମାନପତ୍ର, -ଆହାର ହୋଇଛି ଝଡ଼ିପୋକ ଓ କାଇଅଣ୍ଡା

ବାଂଶପାଳ(ରଶ୍ମିକାନ୍ତ ବେହେରା): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲା ଅନ୍ତର୍ଗତ ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ତଳବୈତରଣୀ ଗ୍ରାମର ‘ଜଳ ପୁରୁଷ’ ଭାବେ ପରିଚିତ ଦୈତାରୀ ନାଏକ ଏବେ ଘୋର ଅାର୍ଥିକ ସଂକଟରେ। ଦୀର୍ଘ ୫ କିମି. ଯାଏ ପାହାଡ଼ ଫଟାଇ ନଦୀ ଜଳକୁ ନିଜ ଗାଁ ମାଟିର ଶୁଷ୍କ ଖେତକୁ ଶସ୍ୟଶ୍ୟାମଳା କରି ଦୈତାରୀ କେବଳ ରାଜ୍ୟ ନୁହେଁ; ସାରା ଦେଶରେ ଚହଳ ପକାଇଥିଲେ। ଏଥିପାଇଁ ତାଙ୍କୁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ପଦ୍ମଶ୍ରୀ ପାଇବା ପରେ ତାଙ୍କ ଅବସ୍ଥା ସୁଧୁରିଯିବ ବୋଲି ସେ ଭାବିଥିଲେ; ହେଲେ ଏବେ ଫଳ ସମ୍ପୂର୍ଣ୍ଣ ଓଲଟା। ଏବେ ସମାଜ ପାଇଁ ଏକପ୍ରକାର ଅଲୋଡ଼ା ହୋଇପଡ଼ିଛନ୍ତି। ଗୁରୁତର ଆର୍ଥିକ ପରିସ୍ଥିତି ପାଇଁ ପାଇଁ ତାଙ୍କୁ ପତ୍ନୀଙ୍କ ସହ ମିଶି ବଜାରରେ ଆମ୍ବସଢ଼ା ବିକି ବଞ୍ଚିବାକୁ ପଡୁଛି। ଯଦି ତାଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସେ, ତେବେ କେନ୍ଦ୍ର ସରକାରଙ୍କୁ ସେ ଏହି ସମ୍ମାନ ଓ ପଦକ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଆମ୍ବସଢ଼ା ପ୍ରସ୍ତୁତିରେ ବ୍ୟସ୍ତ ଦୈତାରୀ ଓ ତାଙ୍କ ପତ୍ନୀ

ଗୁପ୍ତଗଙ୍ଗାରୁ ବାହାରିଥିବା କରତକଟା ନଦୀର ପାଣିକୁ ୪ରୁ ୫ କିମି. ପର୍ଯ୍ୟନ୍ତ ବେଲମୂଳ ପାହାଡ଼ କାଟି ଚାଷଜମିରେ ପାଣି ପହଞ୍ଚାଇ ଦୈତାରୀ ବିଶ୍ୱସ୍ତରରେ ଖ୍ୟାତିଲାଭ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୯ ମସିହା ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରେ ପରିବାରର ଦୁଃଖ ଦୂର ହେବ ବୋଲି ସେ ଆଶା ପୋଷଣ କରିଥିଲେ। କିନ୍ତୁ ଦୁଃଖ ଦୂର ହେବା ପରିବର୍ତ୍ତେ ବଢ଼ିଚାଲିଛି। ଲୋକେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ପାଇଁ ତାଙ୍କୁ ଡାକୁଛନ୍ତି ଏବଂ ସମ୍ବର୍ଦ୍ଧିତ କରୁଛନ୍ତି। ତାଙ୍କ ସହ ଫଟୋ ମଧ୍ୟ ଉଠାଉଛନ୍ତି; କିନ୍ତୁ ତାଙ୍କ ଦୁଃଖକୁ କେହି ବୁଝିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ସମ୍ବର୍ଦ୍ଧନାରେ ମିଳୁଥିବା ପ୍ରତିମୂର୍ତ୍ତି, ଉପଢୌକନ କ’ଣ ତାଙ୍କ ପେଟର ଭୋକକୁ ପ୍ରଶମିତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ପଦ୍ମଶ୍ରୀ ପାଇବା ପରେ ସେ ସତେ ଯେପରି ଅଲୋଡ଼ା ହୋଇପଡ଼ିଛନ୍ତି। ଆଉ ଆଗଭଳି ତାଙ୍କ ଘର ଆଗରେ ପ୍ରାଶାସନିକ ଅଧିକାରୀ କି ନେତା-ମନ୍ତ୍ରୀଙ୍କ ଗାଡ଼ି ଲାଗୁ୍‍ନି କି କାହାରି ଦେଖା ମିଳୁନି ବୋଲି କ୍ଷୋଭର ସହ କହିଛନ୍ତି ଦୈତାରୀ।
ପ୍ରଚଣ୍ଡ ଦାରିଦ୍ର୍ୟ ମଧ୍ୟରେ ବଞ୍ଚିବାକୁ ପଡ଼ୁଛି ପଦ୍ମଶ୍ରୀ ଦୈତାରୀଙ୍କୁ। ୫ପୁଅ ଥିଲେ ହେଁ ନିରକ୍ଷରତା ଯୋଗୁଁ ସେମାନେ କୌଣସି ସଂସ୍ଥାରେ କାମ କରିବାର ସୁଯୋଗ ପାଇପାରୁ ନାହାଁନ୍ତି। ପେଟ ପାଇଁ ସେମାନେ ମଜୁରି ଲାଗିବା ସହ ଜଙ୍ଗଲରୁ କାଠ ଆଣି ବିକ୍ରି କରୁଛନ୍ତି। ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ ୬୫ ବର୍ଷ ବୟସ୍କ ପଦ୍ମଶ୍ରୀ ଦୈତାରୀ ନିଜ ପତ୍ନୀଙ୍କ ସହାୟତାରେ ଆମ୍ବସଢ଼ା ପ୍ରସ୍ତୁତ କରି ନିକଟବର୍ତ୍ତୀ ବଜାରରେ ବିକ୍ରି କରୁଛନ୍ତି। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ସେଥିରେ ଖଲି ଏବଂ ଚଉପଦୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ସେହିପରି ଜଙ୍ଗଲରୁ ଟୋଲ, ମହୁଲ, ଶାଳମଞ୍ଜି ଗୋଟାଇ ହାଟରେ ବିକ୍ରି କରିଛନ୍ତି। ଆର୍ଥିକ ସଂକଟ ଯୋଗୁଁ ପରିବାରରେ ଦେଖାଦେଇଛି ଖାଦ୍ୟ ସମସ୍ୟା। ଘର ପାଖରେ ଥିବା ଉଇ ହୁଙ୍କା ନିକଟରୁ ମଶାରି ସାହାଯ୍ୟରେ ଝଡ଼ିପୋକ(କଲେଇ) ଏବଂ ଗଛରେ ଥିବା କାଇବସାରୁ କାଇଅଣ୍ଡା(କୁରକୁଟି) ସଂଗ୍ରହ କରି ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି। ଚାଷରୁ ମିଳୁଥିବା ଶସ୍ୟ ବର୍ଷକ ଯାଉନି। ୭୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତାରେ ପରିବାର ଚଳାଇବା ମଧ୍ୟ କଷ୍ଟକର ବ୍ୟାପାର ହୋଇଛି।
ପଦ୍ମଶ୍ରୀ ଦୈତାରୀଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଖଣ୍ଡିଏ ସ୍ଥାୟୀ ପକ୍କାଘର ନାହିଁ। ପ୍ରଶାସନକୁ ବାରମ୍ବାର ଗୁହାରି ହେବା ପରେ ମିଳିଥିବା ଇନ୍ଦିରା ଆବାସଟି ଅଧପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ସେ ବାଧ୍ୟ ହୋଇ ସେହି ପୁରୁଣା ନୁଆଁଣିଆ ଚାଳ ଘରେ ପରିବାର ସହ ଆଶ୍ରୟ ନେଇଛନ୍ତି। ଦାମୀ ଜିନିଷ ସାଇତି ରଖିବା ପାଇଁ ଘରେ ଆଲମିରା କି ବାକ୍ସଟି ନଥିବାରୁ ଛେଳି ଗୁହାଳରେ ଝୁଲୁଛି ତାଙ୍କର ‘ପଦ୍ମଶ୍ରୀ’ ମାନପତ୍ର ।
ଏସବୁ ଭିତରେ ତାଙ୍କ ମାନସ ପ୍ରସ୍ତୁତ କତରକଟା କେନାଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହି କେନାଲର ଉଭୟ ପାର୍ଶ୍ବକୁ କଂକ୍ରିଟ କରିବା ପାଇଁ ସେତେବେଳେ ବହୁ ନେତା-ମନ୍ତ୍ରୀ ଭାଷଣରେ କହିଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହେଲା ନାହିଁ। ଆଗକୁ ବର୍ଷା ହେଲେ ଏହି କେନାଲର ମାଟି ବନ୍ଧ ଧସିଯିବାର ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

Comments are closed.