୨୦୧୪ ରାଜନୈତିକ ଅଘଟଣର ପୁନରାବୃତ୍ତି ୨୦୧୯ରେ ହେବ ନାହିଁ: ଶିବସେନା

0

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନାକୁ ଯେଭଳି ପରାଜୟ ବରଣ କରିବାକୁ ପଡିଥିଲା ୨୦୧୯ରେ ତାହାର ପୁନରାବୃତ୍ତି ହେବ ନାହିଁ। ଦଳ ଏକାକୀ ରାଜ୍ୟରେ ସରକାର ଗଠନ କରିବା ସହିତ କେନ୍ଦ୍ରରେ ସରକାର ଗଠନରେ ମଧ୍ୟ ପ୍ରମୁଖ ଭୂମିକା ନେବ ବୋଲି ଦଳୀୟ ମୁଖପତ୍ର ‘ସାମ୍‍ନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ଶିବସେନାର ୫୨ତମ ବର୍ଷପୂର୍ତ୍ତି ପାଳନ ଅବସରରେ ପ୍ରକାଶିତ ଏହି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ ଦେଶରେ ରାଜନୈତିକ ପରିବେଶରେ ପରିବର୍ତ୍ତନ ହୋଇଛି। ଏଣୁ ୨୦୧୪ର ରାଜନୈତିକ ଦୁର୍ଘଟଣାର ପୁନରାବୃତ୍ତି ୨୦୧୯ରେ ହେବ ନାହିଁ। ଆଗାମୀ ନିର୍ବାଚନରେ ଦଳ ବିପୁଳ ବିଜୟ ଲାଭ କରିବା ନେଇ ଦୃଢ ବିଶ୍ୱାସ ରଖିଛି। ସେହିଭଳି ଦିଲ୍ଲୀରେ ନିର୍ବାଚିତ ସରକାରର କାର୍ଯ୍ୟକାରିତା ପଥରେ ଜାଣିଶୁଣି ବାଧା ସୃଷ୍ଟି କରାଯାଇଛି ବୋଲି ଏଥିରେ ଉଲ୍ଲେଖ ରହିଛି। ଧୁଳିଝଡ଼ କେବଳ ଦିଲ୍ଲୀରେ ନୁହେଁ; ବରଂ ସମଗ୍ର ଦେଶରେ ସୃଷ୍ଟି ହୋଇଛି। ମୋଦୀ ସବୁବେଳେ ବିଦେଶଗସ୍ତରେ ରହୁଥିବାରୁ ତାଙ୍କୁ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବାକୁ ପଡୁନାହିଁ; କିନ୍ତୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦର୍ଶାଯାଇଛି। ଆସାମରେ ବିଜେପି ସହିତ ମେଣ୍ଟ କରିଥିବା ଆସାମ ଗଣ ପରିଷଦର ନେତା ମୁମ୍ବଇ ଆସି ଉଦ୍ଧବ ଠାକ୍‍ରେଙ୍କୁ ଭେଟି ଶିବସେନା ନେତୃତ୍ୱରେ ଆଞ୍ଚଳିକ ଦଳଗୁଡିକ ଏକଜୁଟ ହେବା ଆବଶ୍ୟକ ବୋଲି ମତ ଦେଇଥିବା ଦଳ ପ୍ରକାଶ କରିଛି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଶିବସେନା ସହିତ ମେଣ୍ଟ ସୁଦୃଢ କରିବା ଉଦ୍ଦେଶ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ନିକଟରେ ଉଦ୍ଧବଙ୍କୁ ଭେଟିଥିଲେ। ଏହାସତ୍ତ୍ବେ ଶିବସେନାର ବିଜେପି ବିରୋଧୀ ମନୋଭାବ ଦୂର ହୋଇନାହିଁ। ବିଜେପି ସହିତ ବିଧିବଦ୍ଧ ଭାବେ ମେଣ୍ଟ ଭାଙ୍ଗି ନ ଥିଲେ ମଧ୍ୟ ଶିବସେନା ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି।

Leave A Reply