ଅକ୍ଷୟ ତୃତୀୟା ତିଥିରେ ଉଠିବ ଶୀତଳ ଷଷ୍ଠୀର ଥାଳ : ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର :  କରୋନା ମହାମାରୀର ସଂକ୍ରମଣ ଯୋଗୁଁ ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ଏବେ ମଧ୍ୟ ଅନିଶ୍ଚିତତା ଜାରି ରହିଛି । ତେବେ ପରମ୍ପରାନୁଯାୟୀ ଆସନ୍ତା ରବିବାର ୨୬ ତାରିଖରେ ରୀତିନୀତି ଅନୁଯାୟୀ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଅକ୍ଷୟ ତୃତୀୟା ତିଥି ପାଖେଇ ଆସୁଥିବାରୁ ଶୁକ୍ରବାର ନନ୍ଦପଡାର ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ସର୍ବ ପ୍ରଥମ ତଥା ପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଆୟୋଜିତ ବୈଠକରେ ପଡାର ମୁରବୀ ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏ ପର୍ଯ୍ୟନ୍ତ ଯାତ୍ରା କମିଟି ଓ ପ୍ରଶାସନ ମଧ୍ୟରେ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ପାରି ନ ଥିବା ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସମୟ ପାଖେଇ ଆସୁଥିବାରୁ ସରକାରଙ୍କ ନିୟମାନୁଯାୟୀ, ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମକୁ କଡାକଡି ଭାବରେ ପାଳନ କରାଯାଇ ରବିବାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା ଓ ଜଗତଜନନୀ ମାତା ପାର୍ବତୀଙ୍କ ଶୁଭବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଥାଳ ଉଠା ନୀତିକୁ ଅତି ସୀମିତ ଭାବରେ ନିରାଡମ୍ବରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମନ୍ଦିର ମଧ୍ୟରେ ପାଳନ କରାଯିବ। ଥାଳ ଉଠା କାର୍ଯ୍ୟକ୍ରମରେ ଭିଡ ନ ଜମାଇବା ପାଇଁ ଅଞ୍ଚଳବାସୀଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି । ଥାଳ ଉଠା କାର୍ଯ୍ୟକ୍ରମ ପରେ ପରମ୍ପରା ଅନୁଯାୟୀ ପଡାର ଘର ମାନଙ୍କୁ ଯାଇ ସହଯୋଗ ରାଶି ସଂଗ୍ରହ କରାଯିବାର ନିତିକୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାତିଲ କରାଯାଇଛି। ତେବେ ଇଚ୍ଛୁକ ବ୍ୟକ୍ତି ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ଆସି ତାଙ୍କର ସହଯୋଗ ରାଶି ପ୍ରଦାନ କରି ପାରିବେ । ଏହା ସହିତ ଆଗାମୀ ୩ ତାରିଖରେ ଲକ ଡାଉନ ହଟିବା ପରେ ଶୀତଳ ଷଷ୍ଠୀ ଯାତ୍ରାର ଆୟୋଜନ ସର୍ମ୍ପକରେ ପ୍ରଶାସନ ସହିତ ସମନ୍ୱୟ ରକ୍ଷା ଓ ସରକାରୀ ନିର୍ଦ୍ଦେଶାନୁଯାୟୀ ପରବର୍ତ୍ତୀ କାର୍ଯ୍ୟାବଳୀ ନିର୍ଦ୍ଧାରିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ପରମ୍ପରା ଅନୁଯାୟୀ, ପ୍ରତି ବର୍ଷ ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ମାସବ୍ୟାପି ପ୍ରାକ ପ୍ରସ୍ତୁତି ଏବଂ ସପ୍ତାହବ୍ୟାପି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ ଉତ୍ସବର ଶୁଭାରମ୍ଭ ହୋଇଥାଏ। ପ୍ରାୟ ୪ ଶହ ବର୍ଷ ହେବ ଆୟୋଜିତ ହେଉଥିବା ଦେଶ ଅନ୍ୟତମ ଚଳନ୍ତି ଧାର୍ମିକ ଶୋଭାଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ।

Comments are closed.