ଉନାଓ ଘଟଣାରେ କଠୋର ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନାଓ ଜିଲ୍ଲା ସାମୂହିକ ବଳାତ୍କାର ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇବା ଘଟଣାର  ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋରରୁ କଠୋର ଦଣ୍ଡବିଧାନ ପାଇଁ ରାଜ୍ୟ ପୋଲିସ୍‍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଯେଭଳି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇପାରିବେ, ସେଥିପାଇଁ ସେ ପୋଲିସ୍‍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତୀୟ ମହିଳା କମିଶନ ଏ ନେଇ ରାଜ୍ୟ ଡିଜିପି ଓ.ପି. ସିଂଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ଶୀଘ୍ର ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଲକ୍ଷ୍ନୌ ଡିଭିଜନାଲ୍‍ କମିଶନର ମୁକେଶ ମେଶ୍ରାମ କହିଛନ୍ତି ଜଣେ ଅତିରିକ୍ତ ଏସ୍‍ପି ପାହ୍ୟାର ଅଫିସର ଓ ଅନ୍ୟ ୪ ଜଣ ଜୁନିୟର ଅଫିସରଙ୍କୁ ନେଇ ଏକ ସାନି ଏସ୍‍ଆଇଟି ଗଠନ କରାଯାଇଛି।

ଗତକାଲି ସକାଳେ ୫ ଜଣ ଲୋକ ଉନାଓ ବଳାତ୍କାର ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଦେହରେ ନିଆଁ ଲଗାଇଥିବା ୫ ଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡ଼ିତା ଗତ ମାର୍ଚ୍ଚ ମାସରେ ବଳାତ୍କାର ଅଭିଯୋଗ ଦାଏର କରିଥିଲେ।

Comments are closed.