ଖୋଲିବକି କୁନ୍ଦୁଲି ଗୁମର; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ଆଇଟି ତଦନ୍ତ ଆରମ୍ଭ

କୋରାପୁଟ: ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା କୁନ୍ଦୁଲି ଗଣ ବଳାତ୍କାର ଓ ଆତ୍ମହତ୍ୟା ଘଟଣାରେ ହାଇକୋର୍ଟ ସୋମବାର ଏକ ୩ ଜଣିଆ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରିଛନ୍ତି। କିଛି ଅଧିକ ତଥ୍ୟକୁ ନେଇ ପୀଡ଼ିତାଙ୍କ ମାଆ ଓ ଭାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଏହାର ଶୁଣାଣି କରି କୋର୍ଟ ତଥ୍ୟ ଉପରେ ନିରପେକ୍ଷ ତଦନ୍ତ ପାଇଁ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସମ୍ବଲପୁର ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ବ୍ରହ୍ମପୁର ଡିଆଇଜି ସତ୍ୟବ୍ରତ ଭୋଇ ଓ କୋରାପୁଟ ଡିଆଇଜି ସଫିନ ଅହମ୍ମଦ କେ ଏହାର ତଦନ୍ତ ଭାର ବହନ କରିଛନ୍ତି। ସେମାନେ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରୁ ଆଜି ତାଙ୍କର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ମାଆ, ଭାଇ ଓ ମାଉସୀଙ୍କୁ ଡାକି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। ଏହି ତଦନ୍ତ କମିଟି ୨ ଦିନ ଧରି କୋରାପୁଟରେ କାର୍ଯ୍ୟ କରିବେ। ଡିଆଇଜି ସଫିନ ଅହମ୍ମଦ କେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ କରାଯାଉଛି। ତଦନ୍ତ ନିରପେକ୍ଷ ଓ ସ୍ୱାଧୀନ ହେବ।

Comments are closed.