ଭାଈ ପାଇଁ ଜୀବନ ଦେଲା ଭଉଣୀ; ନଦୀରେ ଉଦ୍ଧାର ହେଲା ମୃତଦେହ

ଜଗତସିଂହପୁର: ଭାଇ-ଭଉଣୀର ବନ୍ଧନ ନିବିଡ଼ । ଭଉଣୀକୁ ରକ୍ଷା କରିବାର ପରମ୍ପରାରୁ ସୃଷ୍ଟି ହୋଇଛି ରକ୍ଷା ବନ୍ଧନ ପର୍ବ । ମାତ୍ର ଜଗତସିଂହପୁର ଜିଲାର ବାଲିକୁଦା ଅଞ୍ଚଳରେ ଜଣେ ଭଉଣୀ ନିଜର ସମ୍ପର୍କୀୟ ଭାଇକୁ ବଞ୍ଚାଇବାକୁ ନିଜ ଜୀବନ ଉତ୍ସର୍ଗକରିବା ଘଟଣା ଜିଲାରେ ଚର୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ ୪ ଜଣ ସମ୍ପର୍କୀୟ ଭାଇଭଉଣୀ ପରିବାର ସହ ମଙ୍ଗପୁର ନିକଟସ୍ଥ ଖାଲଗାଁରେ ଥିବା ବନ୍ଧୁଘରକୁ ବୁଲିବାକୁ ଯାଇଥିଲେ । ବୁଧବାର ଅପରାହ୍ନରେ ସେମାନେ ନଦୀ କୂଳରେ ବୁଲାବୁଲି କରୁଥିବାବେଳେ ସାନଭାଇର ଚପଲ ନଦୀକୁ ଖସି ପଡ଼ିଥିଲା । ସାନଭାଇ ଅମରେଶ ଚପଲ ନଦୀରୁ କାଢ଼ିବା ବେଳେ ନଦୀ ମଧ୍ୟକୁ ଖସି ପଡ଼ିଥିଲା । ତାକୁ ଉଦ୍ଧାର କରିବାକୁ ସମ୍ପର୍କୀୟା ଭଉଣୀ ପୂଜା ନଦୀକୁ ପଶି ଯାଇଥିଲା । ସେହିପରି ଅମରେଶର ନିଜ ଭଉଣୀ ଅନୁରାଧା ମଧ୍ୟ ନଦୀରୁ ଭାଇକୁ ଉଦ୍ଧାର କରିବାକୁ ଡ଼େଇଁଥିଲା । ମାତ୍ର ନଦୀର ଜଳଧାର ତୀବ୍ର ଓ ଗଭୀର ହେତୁ ସେମାନେ ଅମରେଶକୁ ଉଦ୍ଧାର କରିବାକୁ ସକ୍ଷମ ହୋଇ ନ ଥିଲେ । ଉପରେ ଥିବା ଅନ୍ୟ ପିଲାମାନେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ନଦୀରୁ ୩ ଜଣଙ୍କୁ ଉଦ୍ଧାର କରି ବାଲିକୁଦା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ସେତେବେଳକୁ ପୂଜାର ଜୀବନ ଚାଲି ଯାଇଥିଲା । ଗୁରୁତର ଅବସ୍ଥାରେ ଅନୁରାଧା ଓ ଅମରେଶଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Comments are closed.