ଦେବୋତ୍ତର ଆୟୁକ୍ତ ଭାବେ ଦାୟିତ୍ବ ନେଲେ ଶିଶିର ରଥ

ଭୁବନେଶ୍ବର : ରାଜ୍ୟ ଦେବୋତ୍ତର ବିଭାଗର ନୂତନ ଆୟୁକ୍ତ ଭାବେ ଶିଶିର କୁମାର ରଥ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ରଥ ଏଥିପୂର୍ବରୁ ଭଦ୍ରକ ଜିଲା ଜଜ୍‌ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ କଟକ, କଳାହାଣ୍ଡି, ଓଡ଼ିଶା ପ୍ରଶାସନିକ ପ୍ରାଧିକରଣ ରେଜିଷ୍ଟ୍ରାର, ବୌଦ୍ଧ ଜିଲା, ପୁରୀ ଅତିରିକ୍ତ ଜିଲା ଜଜ୍‌ ଓ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ଜଜ୍‌ ଭାବେ କାର୍ଯ୍ୟ କରିଛନ୍ତି। ଦେବୋତ୍ତର ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ ପରେ ସେ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ଯେତେ ସବୁ ମନ୍ଦିର, ମଠ ଓ ଦେବୋତ୍ତର ସମ୍ପତ୍ତି ରହିଛି ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ସେଗୁଡ଼ିକ କିପରି ସୁପରିଚାଳନା କରାଯାଇ ପାରିବ ତା’ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଏହାବ୍ୟତୀତ ଦେବୋତ୍ତର ବିଭାଗ ଅଧୀନରେ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ବରିତ ଶୁଣାଣି କରାଯିବ।
ଏବେ ରାଜ୍ୟରେ ୧୭୬୪୧ ମନ୍ଦିର, ୩୫୯ ମଠ ଓ ୪୨ ଦେବୋତ୍ତର ସମ୍ପତ୍ତି ବିଭାଗ ଅଧୀନରେ ରହିଛି। ଏ ସବୁର ସୁପରିଚାଳନା ଭାର ଦେବୋତ୍ତର ଆୟୁକ୍ତଙ୍କ ଉପରେ ନ୍ୟସ୍ତ ରହିଛି। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ପ୍ରଣୟନ ଏବଂ କପିଳେଶ୍ବରର ସେବାୟତଙ୍କ ବିବାଦ ଉପରେ ତର୍ଜମା କରାଯିବ ବୋଲି ଆୟୁକ୍ତ ସୂଚନା ଦେଇଛନ୍ତି।

Comments are closed.