ପିତାଙ୍କ ମୃତ୍ୟୁ ସତ୍ତ୍ବେ ଭାରତ ଫେରିବେ ନାହିଁ ସିରାଜ୍‌

କଲକାତା: ଶୁକ୍ରବାର ଭାରତୀୟ କ୍ରିକେଟର ମହମ୍ମଦ ସିରାଜ୍‌ଙ୍କ ପିତା ମହମ୍ମଦ ଘାଉସ୍‌ଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଭାରତ ଫେରିଆସି ଶୋକାକୁଳ ପରିବାର ସହ କିଛି ସମୟ କାଟିବାକୁ ସିରାଜ୍‌ଙ୍କୁ ବିସିସିଆଇ ପକ୍ଷରୁ ବିକଳ୍ପ ଦିଆ ଯାଇଥିଲା। କାରଣ ସିରାଜ୍‌ଙ୍କୁ କେବଳ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନମିଳିଛି; ଯାହା ଡିସେମ୍ବର ୧୭ରୁ ଆରମ୍ଭହେବ। ହେଲେ ପେସ୍ ବୋଲର ସିରାଜ୍ ଭାରତ ନ ଫେରି ଅଷ୍ଟ୍ରେଲିଆରେ ରହିବାର ନିଷ୍ପତ୍ତି ନେଇଛନ୍ତି। ସିରାଜ୍‌ ଏବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଅଭ୍ୟାସ କରୁଛନ୍ତି।

ସିରାଜ୍‌ଙ୍କ ଏହି ନିଷ୍ପତ୍ତିକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଟ୍ବିଟର ଜରିଆରେ ପ୍ରଶଂସା କରିଛନ୍ତି। ଯଦି ବା ସିରାଜ୍ ଭାରତ ଆସିଥାଆନ୍ତେ; ତାଙ୍କୁ ଅଷ୍ଟ୍ରେଲିଆ ଫେରି ୧୪ ଦିନ ସଂଗରୋଧରେ ରହିବାକୁ ପଡ଼ିଥାଆନ୍ତା। ହାଇଦରାବାଦ ବାସିନ୍ଦା ମହମ୍ମଦ ଘାଉସ୍ ଅଟୋରିକ୍ସା ଚଳାଇ ପରିବାର ଚଳାଉଥିଲେ ହେଁ ପୁଅ ସିରାଜ୍‌ଙ୍କୁ କ୍ରିକେଟ ଖେଳିବାକୁ ପ୍ରୋତ୍ସାହନ ଦେଇଥିଲେ।

Comments are closed.