୪ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ୮ଶହରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

ରାଜ୍ୟସ୍ତରୀୟ ଏକକ ବାତାୟନ  ବୈଠକରେ ୪ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ଅନୁମୋଦନ ଦିଆଯାଇଛି । ଗାଲାକ୍ସ ଇଣ୍ଡଷ୍ଟ୍ରୀଜ୍ ପକ୍ଷରୁ ଖୋର୍ଧା ଜିଲାରେ ମାଳିପଡ଼ାଠାରେ ଫାଇବର ବୋର୍ଡ଼ କାରଖାନା ସ୍ଥାପନ ନେଇ ୯୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୩୧୦ ଜଣ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ସେହିପରି ଖୋର୍ଧା ଓ ନୟାଗଡ଼ରେ ଗ୍ଲୋବସ ପକ୍ଷରୁ ୧୫୧ କୋଟି ଟଙ୍କା ବ୍ୟୟରେ ଦୁଇଟି ଇଥାନଲ ଓ ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକୋହଲ କାରଖାନା ଓ ୪ ମେଗାୱାଟ ଶକ୍ତି ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ୩୦୦ ଲୋକ ନିଯୁକ୍ତି ପାଇବେ ବୋଲି କୁହାଯାଇଛି ।

ଏହାବ୍ୟତୀତ ସୁନ୍ଦରଗଡ଼ର ଲାଠିକଟାଠାରେ ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପକ୍ଷରୁ ୧୦୦ କୋଟି ଟଙ୍କା ନିବେଶ କରାଯାଇ ଏକ ୧.୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟ ପ୍ଲାଣ୍ଟ ସ୍ଥାପନ ହେବ ଏଥିରେ ୧୯୫ ଜଣ ନିଯୁକ୍ତି ପାଇବେ ବୋଲି ପ୍ରସ୍ତାବ ରହିଛି । ସେହିପରି ସେହି କମ୍ପାନୀ ପକ୍ଷରୁ କୋଇଡ଼ାଠାରୁ ଲାଠିକଟା ପର୍ଯ୍ୟନ୍ତ ସ୍ଲରି ପାଇପ୍ ଲାଇନ ବିଛାଇବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ୬୮ ଜଣ ନିଯୁକ୍ତି ପାଇବେ ବୋଲି ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ୪୬୪.୭୨ କୋଟି ଟଙ୍କା ଏବଂ ଏଥିରେ ବୋଟ ୮୭୩ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ରାଜ୍ୟରେ ୫ଟି ବଡ଼ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଥିଲା । ଫେବ୍ରୁଆରୀରୁ ବର୍ତମାନ ସୁଦ୍ଧା ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Comments are closed.