କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର, ସହାୟତା ଲୋଡ଼ିଲେ ସାଥୀ କଣ୍ଠଶିଳ୍ପୀ ଓ ପରିବାର

ଭୁବନେଶ୍ୱର: କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଛି। କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତାର ଶିକାର ହୋଇ ଏବେ ଏଠାରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କଲକାତା କିମ୍ବା ଚେନ୍ନଇ ନେବାକୁ ଯୋଜନା କରାଯାଉଥିବା ବେଳେ ବାଧକ ସାଜିଛି ଅର୍ଥ। ଏନେଇ ପରିବାର ଓ ସାଥୀ କଣ୍ଠଶିଳ୍ପୀ ରାଜ୍ୟ ସଂସ୍କୃତି ବିଭାଗ ଏବଂ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ତପୁ ମିଶ୍ରଙ୍କ ଭଉଣୀ ଧୃତିଦୀପା ମିଶ୍ର ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେ ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସାର୍ବଜନୀନ କରିଛନ୍ତି।
ଆକାଉଣ୍ଟ ସଂଖ୍ୟା: ୯୨୨୦୧୦୦୨୦୩୦୧୪୯୧
ଆଇଏଫଏସସି କୋଡ଼: UTIB0000024
ଆକାଉଣ୍ଟ ନାମ: ଧୃତିଦୀପା ମିଶ୍ର
ବ୍ୟାଙ୍କ: ଆକ୍ସିସ ବ୍ୟାଙ୍କ
ୟୁପିଆଇ ଆଇଡ଼ି: 8249489004@AXISBANK

ମେ ମାସ ଦ୍ୱିତୀୟ ସପ୍ତାହରେ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୃହ ସଙ୍ଗରୋଧରେ ଥିଲାବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ ୧୯ ତାରିଖରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା। ପରବର୍ତ୍ତୀ ସମୟରେ ସେ କୋଭିଡରୁ ସୁସ୍ଥ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା। ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଥିଲା। ଗତ କିଛି ଦିନ ତଳେ ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ତେବେ ବୁଧବାରଠାରୁ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଛି। ତାଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ନିମନ୍ତେ ନେବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଅର୍ଥ ଏଥିରେ ପ୍ରତିବନ୍ଧକ ସାଜିଛି । ପରିବାର ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ାଯାଇଛି। ତପୁଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଶୁଭେଚ୍ଛୁ ପ୍ରାର୍ଥନା କରୁଥିଲା ବେଳେ ସାଥୀ କଣ୍ଠଶିଳ୍ପୀମାନେ ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ସଂସ୍କୃତି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇନଥିଲା।

Comments are closed.