ସିଙ୍ଗାପୁର ଅନ୍ତର୍ଜାତୀୟ ରଗବୀ କର୍ମଶାଳାରେ ଓଡିଆ ଯୁବକ

ଖୁଣ୍ଟା : ସିଙ୍ଗାପୁରରେ ଏସୀୟ ଦେଶଗୁଡିକୁ ନେଇ ଏପ୍ରିଲ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ରଗବୀ ଫୁଟବଲ ରେଫରି କର୍ମଶାଳା ୨୦୧୯ରେ ଓଡିଆ ଯୁବକ ଦିବ୍ୟ ରଞ୍ଜନ ଦାସ ଯୋଗ ଦେଇଛନ୍ତି। ସେ ଭାରତୀୟ ରଗବୀ ଫୁଟବଲ ୟୁନିଅନ(ଆଇଆରଏଫୟୁ) ଦ୍ୱାରା ମନୋନୀତ ହୋଇ ସିଙ୍ଗାପୁର ରଗବୀ ଏସିଆ ରିଜିଅନ ସେଭେନ୍ସ ୱାର୍କ ସପ(ଏସଆରଏସଡବ୍ଲ୍ୟୁ)ରେ ଗୁରୁବାର ଯୋଗ ଦେଇଛନ୍ତି। ଦିବ୍ୟରଞ୍ଜନ ଜାତୀୟ ସ୍ତରରେ ରଗବୀ ରେଫରି ଭାବେ ୧୦ରୁ ଅଧିକ ମ୍ୟାଚ ଓ ୨୦୧୮ ସେପ୍ଟେମ୍ବର ମାସରେ ମୁମ୍ବଇରେ ଅନୁଷ୍ଠିତ ସାଉଥ ଏସିଆନ ରଗବୀ ଚମ୍ପିଆନସିପରେ ସଫଳତାର ସହିତ ରେଫରି ଦାୟୀତ୍ୱ ନିର୍ବାହ କରିଥିଲେ। ଦିବ୍ୟରଞ୍ଜନ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମର ଶରତ ଚନ୍ଦ୍ର ଦାସ ଓ ସୁମିତ୍ରା ଦେବୀଙ୍କର ପୁଅ। ସିଙ୍ଗାପୁରରେ ବିଭିନ୍ନ ଦେଶରୁ ମୋଟ ୧୭ ଜଣଙ୍କୁ ଉକ୍ତ କର୍ମଶାଳାରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିବା ବେଳେ ଓଡ଼ିଶାରୁ ଦିବ୍ୟ ରଞ୍ଜନଙ୍କୁ ମିଶାଇ ଭାରତରୁ ମୋଟ ୩ ଜଣ କର୍ମଶାଳା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କର୍ମଶାଳାରେ ରଗବୀ ମ୍ୟାଚ ପରିଚାଳନା ପାଇଁ ବିଭିନ୍ନ ବିଭାଗରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଉଅଛି। ଏସୀୟ ରଗବୀ ପାନେଲ ପାଇଁ ଉଚ୍ଚ ଦକ୍ଷତା ସମ୍ପନ୍ନ ରେଫରିଙ୍କ ଆବଶ୍ୟକତା ପରିପ୍ରେକ୍ଷୀରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ଜଣା ପଡିଛି।

Comments are closed.