ନିଜ ଭାଷାରେ ଏଣିକି ସୂଚନା, ସଚେତନତା ଓ ମନୋରଞ୍ଜନ, ଓଡ଼ିଶାରେ ୭ଟି ଏଫଏମ ଟ୍ରାନ୍ସମିଟର ଶୁଭାରମ୍ଭ କଲେ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶରେ ୯୧ଟି ଏଫଏମ ଟ୍ରାନ୍ସମିଟରର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଓଡ଼ିଶାର ୭ଟି ସ୍ଥାନରେ ବରଗଡ, ମାଲକାନଗିରି, ନବରଙ୍ଗପୁର, ଫୁଲବାଣୀ, କୋରାପୁଟ, କେନ୍ଦ୍ରାପଡା ଏବଂ ମୋହନାରେ ନୂତନ ଏଫଏମ ଟ୍ରାନ୍ସମିଟର ଉଦଘାଟିତ ହୋଇଛି। ଏହାକୁ ଆଭାସୀ ଜରିଆରେ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ସାମାଜିକ ସଂଯୋଗ ବୃଦ୍ଧି ପାଇବ।

ଓଡିଶାରେ ଏହି ୭ଟି ଟ୍ରାନ୍ସମିଟର ମଧ୍ୟରୁ ପାଞ୍ଚଟି ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ ଏବଂ ଗଜପତିରେ ରହିଛି। ଏହି ଏଫଏମ ଟ୍ରାନ୍ସମିଟରଗୁଡ଼ିକ ଓଡିଶାର ଦୁର୍ଗମ ଅଞ୍ଚଳର ଲୋକଙ୍କ ନିଜ ଭାଷାରେ ମନୋରଞ୍ଜନ, ସୂଚନା ଏବଂ ସଚେତନତା ଆବଶ୍ୟକତା ପୂରଣ କରିବ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସଂସଦ ସଦସ୍ୟ ତଥା ସମ୍ପୃକ୍ତ ଅଞ୍ଚଳର ଅନ୍ୟ ନିର୍ବାଚିତ ପ୍ରତିନିଧୀ, ବିଶିଷ୍ଟ ନାଗରିକ ତଥା ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

କେନ୍ଦ୍ରାପଡ଼ାର ଗୋପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆକାଶବାଣୀ କଟକର ଉପମହାନିର୍ଦ୍ଦେଶକ ପ୍ରକାଶ କୁମାର ପତି, କାର୍ଯ୍ୟକ୍ରମ ମୁଖ୍ୟ ତରୁଣକାନ୍ତି ରାଉତ, ବିବିଧଭାରତୀ ମୁଖ୍ୟ ଚିରଞ୍ଜିବି ରାଉତରାୟ, ଆଂଚଳିକ ସମ୍ବାଦ ମୁଖ୍ୟ ତପନ କୁମାର ମହାରଣାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍‌‌.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଆକାଶବାଣୀର କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲ୍ଲାର ନବରଙ୍ଗପୁର, ପାପଡ଼ାହାଣ୍ଡି, ତେନ୍ତୁଲିଖୁଣ୍ଟି ବ୍ଲକ ସହ କୋରାପୁଟ ଜିଲ୍ଳାର ବୋରିଗୁମା ପର୍ଯ୍ୟନ୍ତ ଏହି ଏଫ୍‌‌ଏମ୍‌‌ ପ୍ରସାରଣ ଶୁଣାଯାଇ ପାରିବ।

ସେହିପରି ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ମଧ୍ୟ ୧୦୦ ୱାଟ୍‌‌ ବିଶିଷ୍ଟ ଏଫ୍‌‌ଏମ୍‌‌ ଟ୍ରାନ୍ସମିଟର ଲୋକାର୍ପିତ ହୋଇଛି।ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ଆକାଶବାଣୀର ଇଞ୍ଜିନିୟରିଂ ମୁଖ୍ୟ ପ୍ରଦୀପ ସି କୁମାର, ବିଧାୟକ ରଘୁରାମ ପଡ଼ାଲ, ସାହିତ୍ୟିକ ରବି ଶତପଥି, ଆକାଶବାଣୀ ଓ ଦୂରଦର୍ଶନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବରଗଡ଼ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆକାଶବାଣୀ ସମାଚାର ବିଭାଗ ଯୁଗ୍ମ ନିର୍ଦ୍ଦେଶକ ନଭଲସାଙ୍ଗ୍‌‌ ପରମାରଙ୍କ ସମେତ ଆକାଶବାଣୀ ଓ ଦୂରଦର୍ଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସେହିଭଳି ଗଜପତି ଜିଲ୍ଲାର ମୋହନାଠାରେ ଏଫ୍‌‌ଏମ୍‌‌ ଟ୍ରାନ୍ସମିଟର ସ୍ଥାପନ ଅବସରରେ ଆୟୋଜିତ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମୋହନା ଭଳି ଏକ ଆଦିବାସୀବହୁଳ ତଥା ଦୁର୍ଗମ ଅଞ୍ଚଳରେ ଜନ ସାଧାରଣ ରାଜ୍ୟ ସମେତ ଦେଶବିଦେଶର ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି। ସମାରୋହରେ ଜିଲ୍ଲା ଆଇଆଇଡିଏର ପ୍ରକଳ୍ପ ପ୍ରଶାସକ ଫାଲଗୁନୀ ମାଝୀ, କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଇଂ ଅମର ପ୍ରସାଦ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.