ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍: ୭ମ ସ୍ଥାନରେ ସିନ୍ଧୁ

0

ନୂଆଦିଲ୍ଲୀ : ପ୍ରଖ୍ୟାତ ପତ୍ରିକା ଫୋର୍ବସ ତରଫରୁ ଜାରି ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ୨୩ ବର୍ଷୀୟ ସିନ୍ଧୁଙ୍କ ମୋଟ ଆୟ ୮.୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୫୯ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା) ବୋଲି ଜଣାପଡ଼ିଛି। ଏଥିରେ ବିଭିନ୍ନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ଜିତିଥିବା ପୁରସ୍କାର ରାଶି ଓ ବିଜ୍ଞାପନ ବାବଦକୁ ମିଳିଥିବା ଅର୍ଥ ରହିଛି।
୨୦୧୬ ଅଲିମ୍ପିକ୍‍ସରେ ରୌପ୍ୟ ପଦକ ଜିତିବା ପରେ ସିନ୍ଧୁଙ୍କ ଆୟ ବହୁ ପରିମାଣରେ ବଢ଼ି ଯାଇଥିଲା। ସେ ବ୍ରିଜଷ୍ଟୋନ୍‍, ଗାଟୋରେଡେ, ନୋକିଆ, ପାନାସୋନିକ୍‍, ରେକିଟ୍‍ ବେନ୍‍ସିକସ ଭଳି ଖ୍ୟାତନାମା କମ୍ପାନୀର ବିଜ୍ଞାପନରେ କାମ କରୁଥିବାରୁ ତାଙ୍କର ଆୟ ଆଶାତୀତ ଭାବେ ବଢ଼ିଥିବା ଫୋର୍ବସ ତରଫରୁ କୁହାଯାଇଛି। ବିଭିନ୍ନ ପ୍ରତିଯୋଗିତାରୁ ପୁରସ୍କାର ରାଶି ବାବଦରେ ସିନ୍ଧୁ ୫ ଲକ୍ଷ ଡଲାର ଅର୍ଥ ରୋଜଗାର କରିଥିବା ବେଳେ ବିଜ୍ଞାପନ ବାବଦକୁ ୮ ନିୟୁତ ଡଲାର ଆୟ କରିଛନ୍ତି। ରିଓ ଅଲିମ୍ପିକ୍‍ସରେ ରୌପ୍ୟ ପଦକ ଜିତିବା ବ୍ୟତୀତ ସିନ୍ଧୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୭ ଓ ୨୦୧୮ ବିଶ୍ୱ ଚମ୍ପିଆନ୍‍ସିପରେ ରୌପ୍ୟ ପଦକ ଜିତିଥିଲେ।
ଏହି ତାଲିକାରେ ଆମେରିକାର ଟେନିସ ତାରକା ସେରେନା ୱିଲିୟମ୍‍ସ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କର ଆୟ ୧୮.୧ ନିୟୁତ ଡଲାର। ସେହିପରି ୨ୟ ସ୍ଥାନରେ କାରୋଲିନ୍‍ ୱଜନିଆକି ରହିଛନ୍ତି। ତାଙ୍କ ଆୟ ପରିମାଣ ୧୩ ନିୟୁତ ଡଲାର। ୩ୟ ସ୍ଥାନରେ ଥିବା ସ୍ଲୋଆନେ ଷ୍ଟିଫେନ୍‍ସଙ୍କ ଆୟ ୧୧.୨ ନିୟୁତ ଡଲାର, ୪ର୍ଥ ସ୍ଥାନରେ ଥିବା ମୁଗୁରୁଜାଙ୍କ ଆୟ ୧୧ ନିୟୁତ ଡଲାର, ୫ମ ସ୍ଥାନରେ ଥିବା ମାରିଆ ସାରାପୋଭାଙ୍କ ଆୟ ୧୦.୫ ନିୟୁତ ଡଲାର, ୬ର୍ଥ ସ୍ଥାନରେ ଥିବା ଭେନସ୍‍ ୱିଲିୟମ୍‍ସଙ୍କ ଆୟ ୧୦.୨ ନିୟୁତ ଡଲାର, ୮ମ ସ୍ଥାନରେ ଥିବା ସିମୋନା ହାଲେପ୍‍ଙ୍କ ଆୟ ୭.୭ ନିୟୁତ ଡଲାର, ୯ମ ସ୍ଥାନରେ ଥିବା ଡାନିକା ପାଟ୍ରିକ୍‍ଙ୍କ ଆୟ ୭.୫ ନିୟୁତ ଡଲାର ଓ ୧୦ମ ସ୍ଥାନରେ ଥିବା ଆଞ୍ଜେଲିକ୍‍ କର୍ବରଙ୍କ ଆୟ ୭ ନିୟୁତ ଡଲାର ଥିବା ଫୋବର୍ସ ତାଲିକାରୁ ଜଣାପଡ଼ିଛି।

Leave A Reply