ସୁସ୍ଥ ହୋଇ ଫେରିଲେ ସିନ୍ଧେକେଲାର ୩ କରୋନା ବିଜୟୀ

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସଂଗରୋଧ କେନ୍ଦ୍ରରୁ ମହାରାଷ୍ଟ୍ର ଫେରନ୍ତା ସ୍ଥାନୀୟ ପୁଟେଲ ପଡାର ଜଣକୁ ଗତ ୨୩ ମଇରେ ପ୍ରଥମ କରୋନା ରୋଗୀ ଭାବରେ ଚିହ୍ନଟ କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଥିବା ବେଳେ ଦୁଇଦିନ ପରେ ପୁଣି ୨୫ରେ ସିନ୍ଧେକେଲା ଓ ଭତାସର ଗ୍ରାମର ଆଉ ୨ଜଣକୁ ଚିହ୍ନଟ କରି ପଠାଯାଇଥିଲା। କିନ୍ତୁ ସେମାନେ ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଆଜି ଗୁରୁବାର ଅପରାହ୍ନରେ ଫେରିଛନ୍ତି। ଏହି ଅବସରରେ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସେହି ତିନି ଜଣଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ସରପଞ୍ଚ ରାଜା ଥନାପତି କରୋନା ମୁକ୍ତ ତଥା କରୋନା ବିଜୟୀ ୩ଜଣଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଆନନ୍ଦ ମିଶ୍ର, ସଂଗରୋଧ କେନ୍ଦ୍ରର ନୋଡାଲ ଅଧିକାରୀ ନରେନ୍ଦ୍ର ସାହୁ, ଜଗୁଆଳୀ ସନ୍ତୋଷ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲମଣୀ ମେହେର, ୱାଡ ସଭ୍ୟ ଯୋଗେନ୍ଦ୍ର ନାଗ, ପଞ୍ଚାୟତ କର୍ମଚାରୀ ବି ସାହୁ ସମେତ ଅନ୍ୟାନ୍ୟ ସମସ୍ତ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସେମାନେ କରୋନା ବିଜୟୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଗୃହ ସଂଗରୋଧରେ ୭ଦିନ ରହିବା ପାଇଁ ପରାମର୍ଶ ଦେଇ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇଥିଲେ।

Comments are closed.