ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ, ହାଣ୍ଡିଏ ପାଣି ପାଇଁ ନାଳ ହିଁ ଭରସା

ରାମନାଗୁଡା : ଗ୍ରୀଷ୍ମ ଆରମ୍ଭରୁ ରାୟଗଡ଼ା ଜିଲ୍ଲାର ରାମନାଗୁଡା ଅଧିନ ଅଧିକାଂଶ ଗାଁରେ ପିଇବା ପାଣିର ଅଭାବ ଦେଖା ଦେଇଛି । କେଉଁଠି ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ନଳକୂଅ ଅଛି ପାଣି ବାହାରୁନି । ଲୋକେ ବାଧ୍ୟ ହୋଇ ବିଭିନ୍ନ ନାଳ  ଦୂଷିତ ଜଳ ପିଉଛନ୍ତି। ଅନେକ ଗାଁରେ ପାଣି ନେବା ପାଇଁ ପରସ୍ପର ମଧ୍ୟରେ କଳିଝଗଡା ମଧ୍ୟ ହେଉଛି । ଏବେଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆରମ୍ଭ ହେଲାଣି ତାତି । ଡହ ଡହ ଖରା ଧନ ଜୀବନ କରିପକାଉଛି ଅସ୍ତବ୍ୟସ୍ତ। ତା ସାଙ୍ଗକୁ ଜଳ କଷ୍ଟରେ ଜୀବନ ଜିଇଁବା କଷ୍ଟକର ହୋଇ ପଡିଛି ।  ରାମନାଗୁଡାର ବିଭିନ୍ନ ଅଞ୍ଚଳରେ ଉତ୍କଟ ହେଉଛି ଜଳକଷ୍ଟ। ବ୍ଲକ ସଦର ଠାରୁ ୨କିମି ଦୂରରେ ରହିଛି ପୁରଟିଗୁଡା ଗାଁ । ଗାଁ ୨୫ରୁ ଉର୍ଦ୍ଧ୍ବ ସଉରାଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା  ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଗାଁଗୁଡିକରେ ଥିବା ସବୁ ନଳକୂଅ, ପୋଖରୀ ଓ ନାଳ ଶୁଖିଆଁ କଲାଣି । ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ନଥିବା ବେଳେ ଲୋକେ ପିଇବା ପାଣି ପାଇଁ ନଳକୂଅ ଉପରେ ନିର୍ଭର କରନ୍ତି । ଦୀର୍ଘ ଦିନ ନଳକୂପ ଖରାପ ପଡିରହିଥିବା ବେଳେ ପାଣିପାଇଁ ଲୋକେ ଦୂଷିତ ନାଳ ଉପରେ ନିର୍ଭରଶୀଳ।  ଲୋକେ ପାଣି ମୁନ୍ଦେ ପାଇଁ ନାନା ହୀନସ୍ଥା ହେଉଛନ୍ତି । ସମସ୍ୟା କେବଳ ଏଥରର ନୁହଁ ବରଂ ବର୍ଷ ବର୍ଷ ଧରି ରାମନାଗୁଡା ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକରେ ଲୋକେ ପାଣି ମୁନ୍ଦେ ପାଇଁ ନାନା ହଇରାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଯେଉଁଠି ପିଇବା ପାଇଁ ପାଣି ନାହିଁ, ସେଠି ପାଣିର ଅନ୍ୟ ଆବଶ୍ୟକତା କଥା ପଚାରେ କିଏ ।  ଫଳରେ ଖରା ଦିନ ଆସିବା ପୂର୍ବରୁ ବିଭିନ୍ନ ଗାଁ ଲୋକେ ପାଣି ପାଇଁ କଲବଲ ହେଉଛନ୍ତି । ଖରାଦିନ ଆରମ୍ଭରୁ ଭୂତଳ ଜଳ କମିଯିବା କାରଣରୁ ଅଧିକାଂଶ ନଳକୁଅରୁ ପାଣି ବାହାରୁନି । ରାତି ପାହିଲେ ଲୋକଙ୍କ ପିଇବା ପାଣି ଚିନ୍ତା । କେଉଁଠି ପାଣି ଟୋପାଏ ପାଇଁ ମହିଳା ମାନେ ପ୍ରବଳ ଖରାରେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି । ରାମନାଗୁଡା ସଦରରୁ ମାତ୍ର ୨କିମି ଦୂରରେ ଯଦି ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଉପାନ୍ତ ଗ୍ରାମ ଗୁଡ଼ିକରେ କିପରି ଜଳକଷ୍ଟ ଲାଗି ରହିଥିବ ତାହା ସହଜରେ ଅନୁମେୟ। ଯଥାଶୀଘ୍ର ପାନୀୟଜଳ ସମସ୍ୟା ନ ସୁଧୁରିଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

Comments are closed.