ଅଭିନେତ୍ରୀ ସିମରନ୍‌ ସିଂ ମୃତ୍ୟୁ ମାମଲା; ସ୍ୱାମୀ ଧ୍ରୁବରାଜ୍‌ ଗିରଫ

0

ବଲାଙ୍ଗିର/ସମ୍ବଲପୁର: ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକ ତଥା ସ୍ୱାମୀ ଧ୍ରୁବରାଜ୍‌ ସୁନା ଗିରଫ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ପୁଲିସ୍‌ ତାଙ୍କୁ ଶୁକ୍ରବାର ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚାରଉଚରା କରିଥିଲା  । ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଗୁରୁବାର ସକାଳେ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ ଙ୍କ ମୃତଦେହ ମିଳିଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିଲା । ତାଙ୍କ ମୁଣ୍ଡ ଫାଟି ଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଶୁକ୍ରବାର ବେଲପଡା ଥାନା ପୁଲିସ ଧ୍ରୁବରାଜଙ୍କୁ ତାଙ୍କ ଘରୁ ଉଠାଇ ଆଣି ପଚରାଉଚରା କରିଥିଲା । ପଚରାଉଚରା ବେଳେ ସେ ସିମରନଙ୍କୁ ବିବାହ କରିଥିବା ସ୍ବୀକାର କରିଥିଲା । ହେଲେ ସିମରନ୍ ଆତ୍ମହତ୍ୟା କରିଛି ବା ତାଙ୍କୁ କେହି ହତ୍ୟା କରିଛି ଏ ବାବଦରେ ତାଙ୍କୁ କିଛି ଜଣାନଥିବା ଧ୍ରୁବରାଜ କହିଥିଲା।

ମୃତ୍ୟୁ ପୂର୍ବରୁ ସିମରନ୍ ତାଙ୍କର ଜଣେ ବନ୍ଧୁ ନିକଟକୁ ଭଏସ୍ ମେସେଜ ପଠାଇଥିଲେ । ଯାହା ଭାଇରାଲ ହୋଇଥିଲା । ଏହି ଭଏସ୍ ମେସେଜରେ ‘ନିଜକୁ ଛାଡି, ପରିବାରକୁ ଛାଡି ଦୂରକୁ ଚାଲି ଯାଉଛି’ ବୋଲି କହିଥିଲେ । ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଥିଲେ ।

Leave A Reply