ଭଲ ନିଦ ନିମନ୍ତେ ସରଳ ଉପାୟ

ଅନିଦ୍ରା କାରଣରୁ ଅନ୍ୟାନ୍ୟ ରୋଗ ଆରମ୍ଭ ହୋଇଥାଏ। ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ଦୈନିକ ୭-୮ ଘଣ୍ଟା ଶୋଇବା ନିତାନ୍ତ ଜରୁରୀ। ବିଶେଷଜ୍ଞଙ୍କ ମତରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସମୟ ଶୋଇବା ଉଚିତ। ଏହା ପଛର ପ୍ରମୁଖ କାରଣ ହେଲା ସେମାନଙ୍କ ଉପରେ ଉଭୟ ଘର ଓ ବାହାରର ଦାୟିତ୍ବ ନ୍ୟସ୍ତ ଥାଏ।

-ନିଦ୍ରାହୀନତା ଭୋଗୁ ଥିଲେ, କେତୋଟି ସରଳ ଉପଚାର କରିବା ଜରୁରୀ। ଦୈନିକ ଶୋଇବା ପୂର୍ବରୁ ୧ ଗିଲାସ ନଖ ଉଷୁମ କ୍ଷୀର ପିଅନ୍ତୁ। ଖିର ପିଇଲେ ମାନସିକ ଶାନ୍ତି ବଜାୟ ରହୁଥିବାର ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ଏହା ସହ କ୍ଷୀରରେ ଥିବା କ୍ୟାଲସିୟମ୍ ମଧ୍ୟ ନିଦ୍ରାହୀନତାରୁ ରକ୍ଷା କରେ। ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଥିଲେ ଉଷୁମ କ୍ଷୀରରେ ଚିମୁଟାଏ ହଳଦୀ ମିଶାଇ ପିଅନ୍ତୁ।
-ଶୋଇବା ପୂର୍ବରୁ ମହୁ ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍ ତତ୍ତ୍ବ ଶରୀର ଉପରେ ଉତ୍ତମ ପ୍ରଭାବ ପକାଉଥିବାବେଳେ ନିଦ ନିମନ୍ତେ ସହାୟକ ହେଉଥିବାର ବିଶେଷଜ୍ଞଙ୍କ ମତ।
-ରାତ୍ରି ଭୋଜନ ପରେ ଓ ଶୋଇବାକୁ ଯିବାର ୩୦ ମିନିଟ୍ ପୂର୍ବରୁ ନଖ ଉଷୁମ ଖିରରେ ଅଧ ଚାମଚ ଡାଲଚିନି ଗୁଣ୍ଡ ଓ ଅଧ ଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ପିଅନ୍ତୁ। ଏହି ପାନୀୟ କ୍ଷୀରର ସ୍ବାଦ ବଢ଼ାଇବା ସହ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।
-ପୋଷକତତ୍ତ୍ବ ଭରପୂର ପେସ୍ତାବାଦାମ ମଧ୍ୟ ଉତ୍ତମ ନିଦ ନିମନ୍ତେ ସହାୟକ ହେଉଥିବାର ଜଣାପଡ଼ିଛି। ଶୋଇବା ପୂର୍ବରୁ ପେସ୍ତାବାଦାମକୁ ମହୁ ସହ ମିଶାଇ ଖାଇପାରିବେ ନଚେତ୍ କ୍ଷୀରରେ ଅଧ ଚାମଚ ପେସ୍ତାବାଦାମ ଗୁଣ୍ଡ ମିଶାଇ ପିଇପାରିବେ।
-ରସୁଣ ମଧ୍ୟ ଭଲ ନିଦ ହେବାରେ ସାହାଯ୍ୟ କରେ। ଚୁଲାରେ ଏକ ପାତ୍ର ବସାଇ ସେଥିରେ ୧କପ୍ କ୍ଷୀର, ଅଳ୍ପ ପାଣି ମିଶାଇ ସେଥିରେ ୨ପାଖୁଡ଼ା ରସୁଣ ଛେଚି ପକାଇବେ। କ୍ଷୀର ଭଲଭାବେ ଫୁଟିବା ପରେ ଚୁଲା ବନ୍ଦ କରନ୍ତୁ। କ୍ଷୀର ଉଷୁମ ଥିବାବେଳେ ହିଁ ପିଇନେବେ। ୧ସପ୍ତାହ ପିଇବା ପରେ ରସୁଣ କ୍ଷୀରର ଉପଯୋଗିତା ଜାଣିପାରିବେ।

Comments are closed.