ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା : ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ଶିମିିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଯୋଗେ ସୂଚନା ଦେଇଛନ୍ତି। ଶିମିଳିପାଳ ଭ୍ରମଣ ସହିତ ପର୍ଯ୍ୟଟକ ଅଭୟାରଣ୍ୟରେ ରାତ୍ରଯାପନ ମଧ୍ୟ କରିପାରିବେ। ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ । ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ପ୍ରତ୍ୟହ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମିଳି ପାରିବାର ବ୍ୟବସ୍ଥା ରହିଛି । ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଏବଂ ପ୍ରଥମ ୩୫ଟି ଚାରିଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯିବ।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଲିଖିତନାମା ଦେବେ ଏବଂ ନିୟମାବଳୀ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ସେମାନଙ୍କ ସାମଗ୍ରୀଗୁଡିକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ତନଖି ଫାଟକରେ ଯାଞ୍ଚ କରାଯିବ। ଅପରାହ୍ନ ୩ ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ। ଶିମିଳିପାଳ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ଜଣେ ମାର୍ଗଦର୍ଶକ(ଗାଇଡ) ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥର ମଧ୍ୟ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପାଇଁ ପ୍ଲାଷ୍ଟିକ ବୋତଲ ବାରଣ କରାଯାଇଛି।

Comments are closed.