ଶିମିଳିପାଳରେ ବାଘ ମରୁଡ଼ି

ସଂକଟରେ ଦେଶର ପ୍ରଥମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ବାରିପଦା(ବିଜୟ କୁମାର ଅଗରୱାଲା) : ଶିମିଳିପାଳ ବନାଂଚଳରେ ଅବସ୍ଥିତ ଦେଶର ପ୍ରଥମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବେ ସଙ୍କଟରେ। ୧୯୭୩ରେ ପ୍ରତିଷ୍ଠିତ ଏହି ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଉଥିବାରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜ୍ୟର ପରିବେଶପ୍ରେମୀଙ୍କ ମଧ୍ୟରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ଶିମିଳିପାଳ ଜଂଗଲାଂଚଳର ଆର୍ଦ୍ର ଜଳବାୟୁ ଓ ପ୍ରଚୁର ପରିମାଣରେ ଝରଣା ଓ ଜଳ ଉତ୍ସ ବାଘଙ୍କ ପାଇଁ ଏକ ସର୍ବୋତ୍କୃଷ୍ଟ ବାସସ୍ଥଳୀ। ଦେଶରେ ବାଘକୁ ଜାତୀୟ ପ୍ରାଣୀର ଆଖ୍ୟା ଦିଆଯାଇଛି। ସାଧାରଣତଃ ଏମାନେ ଆର୍ଦ୍ର ଜଳବାୟୁରେ ବାସ କରିଥାନ୍ତି। ଏଣୁ ପୃଥିବୀର ଉତ୍ତର ମେରୁରେ ଥିବା ସାଇବେରିଆ ତୁଷାରାଚ୍ଛନ୍ନ ଅଂଚଳରେ ମଧ୍ୟ ବାଘ ଦେଖାଯାଆନ୍ତି। ଦେଶର ପଶ୍ଚିମବଙ୍ଗ ସୁନ୍ଦରବନରେ ବହୁ ପରିମାଣରେ ବାଘ ଦେଖାଯାନ୍ତି। ବାଘମାନେ ନିର୍ଜନ ଅଂଚଳରେ ବସବାସ କରିବା ସହ ଜଳରେ ପହଁରିବାକୁ ଭଲ ପାଇଥାନ୍ତି।
ଏହି ବନାଂଚଳର ଭୌଗୋଳିକ ସ୍ଥିତି ଦେଶରେ ଥିବା ଅନ୍ୟାନ୍ୟ ବନାଂଚଳ ଅପେକ୍ଷା ସ୍ୱତନ୍ତ୍ର। ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ଏହି ବନାଂଚଳର ପ୍ରମୁଖ ଅଂଚଳ ଜନସାଧାରଣଙ୍କ ପାଇଁ ଚଳପ୍ରଚଳରେ ବାଧକ ଥିଲା। ଏଣୁ ବାଘମାନେ ଏହି ଅଂଚଳରେ ବସବାସ କରିବାକୁ ପସନ୍ଦ କରୁଥିଲେ। ଏହି ଅଂଚଳରେ ବିଶେଷ ପ୍ରଜାତିର କଳା ବାଘ ଥିବା ଏକ ଟ୍ରାପ୍‌ କ୍ୟାମେରା ଦ୍ୱାରା ଜଣାପଡିଛି। ଅନ୍ୟାନ୍ୟ ଜାତୀୟ ଉଦ୍ୟାନ ସମତଳ ଆୟତନରେ ଥିବା ବେଳେ ଏହି ବନାଂଚଳର ପରିଧି ବିକ୍ଷିପ୍ତ ତଥା ଘାଟି ବହୁଳ। ମଣିଷ ସମାଜ ପାଇଁ ଏହି ଅଂଚଳ ଚଳପ୍ରଚଳ ପାଇଁ ସୁବିଧାଜନକ ନ ଥିବାରୁ ବାଘମାନେ ନିର୍ଦ୍ବନ୍ଦ୍ବରେ ବାସ କରିଥାନ୍ତି। ଏହା ସହିତ ବାଘମାନଙ୍କ ମୁଖ୍ୟ ଖାଦ୍ୟ ହରିଣ, ବାରହା, ଗୟଳ ଆଦି ଏହି ଅଂଚଳରେ ଉପଲବ୍ଧ ହୋଇଥାନ୍ତି।
ଜନଶ୍ରୁତି ଅନୁଯାୟୀ ପ୍ରାୟ ପାଞ୍ଚ ଶହ ବର୍ଷ ପୂର୍ବରୁ ଏହି ଜଙ୍ଗଲରେ ପାଞ୍ଚ ଶହରୁ ସାତ ଶହ ବାଘ ଥିବାର କୁହାଯାଉଥିଲାବେଳେ ଜନବସତି ଅଂଚଳରେ ମଧ୍ୟ ଅଧିକାଂଶ ସମୟରେ ବାଘ ଦୃଷ୍ଟିଗୋଚର ହେଉଥିଲେ। ସତୁରୀ ଦଶକରେ ପଦ୍ମଶ୍ରୀ ସରୋଜରାଜ ଚୌଧୁରୀ ଶିମିଳିପାଳରେ ବନ ବିଭାଗର ଦାୟିତ୍ୱରେ ରହିଥିଲା ବେଳେ ସୌଭାଗ୍ୟବଶତଃ ଖଇରୀ ନାମକ ଏକ ବାଘଛୁଆକୁ ସେ ଲାଳନପାଳନ ସହ ପୋଷା ମନାଇ ସାରା ବିଶ୍ୱରେ ଶିମିଳିପାଳକୁ ବାଘର ବାସସ୍ଥଳୀଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେହି ସମୟରେ ଭାରତ ସରକାରଙ୍କ ଦ୍ୱାରା ବନ୍ୟଜୀବ ସୁରକ୍ଷା ଆଇନ-୧୯୭୨ ପ୍ରଣୟନ ହୋଇଥିଲା। ଭାରତବର୍ଷର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ଶାସନ କାଳରେ ବାଘମାନଙ୍କ ସୁରକ୍ଷା ପାଇଁ ଜାତୀୟସ୍ତରରେ ବ୍ୟାଘ୍ର ପ୍ରକଳ୍ପ ସୃଷ୍ଟି ହେଲା ଏବଂ ଶିମିଳିପାଳର ପରିଚାଳନା ପାଇଁ ଏହାକୁ ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ରଖାଗଲା। ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା ପରେ ଶ୍ରୀ ଚୌଧୁରୀଙ୍କ ଦ୍ୱାରା ବାଘ ତଳିପା(ପଗ୍‌ ମାର୍କ)କୁ ଆଧାର କରାଯାଇ ସାରା ଦେଶରେ ବ୍ୟାଘ୍ର ଗଣନା ଆରମ୍ଭ ହେଲା। ସେହି ଅନୁଯାୟୀ ଶିମିଳିପାଳରେ ୧୯୭୩ରେ ୯୩ଟି, ୧୯୯୦ରେ ୯୪ଟି ଓ ୨୦୦୪ରେ ୧୦୧ଟି ବାଘ ରହିଥିବା ଜଣା ପଡିଥିଲା।
୨୦୦୬ ମସିହାରେ ଦେଶରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସ୍ଥାପନ କରାଗଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ବାଘ ସଂଖ୍ୟା ସଠିକ ନିରୂପଣ କରି ବାଘ ସଂରକ୍ଷଣର ଦେଖାଯାଉଥିବା ସମସ୍ୟାର ସମାଧାନ ଏବଂ କ୍ୟାମେରା ଟ୍ରାପ୍‌ ମାଧ୍ୟମରେ ବାଘ ଗଣନା। ଦେଶରେ ୧ ହଜାର ୪୧୧ଟି ବୟଃପ୍ରାପ୍ତ ବାଘ ଥିବାର ହିସାବ କରାଯାଇଥିଲା ଏବଂ ୨୦୧୦ରେ ଏହାର ସଂଖ୍ୟା ୧୮୦୭ ଏବଂ ୨୦୧୪ରେ ଏହା ବୃଦ୍ଧି ପାଇ ୨୦୦୬ ହେଲା। ଏପରିକି କାହ୍ନା ଓ ସାରିସ୍କା ଜାତୀୟ ଉଦ୍ୟାନ ବାଘ ସଂଖ୍ୟା ଶୂନ ଥିଲା ବେଳେ ଯଥାକ୍ରମେ ୪୧ ଓ ୧୪ରେ ପହଞ୍ଚିଛି।
ତେବେ ଦେଶର ପ୍ରଥମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଶିମିଳିପାଳରେ ୨୦୦୪ରେ ବାଘ ସଂଖ୍ୟା ୧୦୧ ଥିଲା ବେଳେ ୨୦୦୯ରେ ୬୧ଟି ବାଘ ଥିବା ଗଣନାରେ ଜଣାପଡିଥିଲା; ଅର୍ଥାତ୍‌ ପାଞ୍ଚ ବର୍ଷ ମଧ୍ୟରେ ୪୦ଟି ବାଘ ଉଭାନ ହୋଇଗଲେ। ତାହା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ୨୦୧୦ ପରଠାରୁ ଡେରାଡୁନସ୍ଥ ଭାରତ ବନ୍ୟପ୍ରାଣୀ ସଂସ୍ଥା ଦ୍ୱାରା ଶିମିଳିପାଳ ବ୍ୟାଘ୍ର ସର୍ବେକ୍ଷଣ କରାଯିବା ପାଇଁ କେନ୍ଦ୍ର ଓ ଜାତୀୟ ବ୍ୟାଘ୍ର ସୁରକ୍ଷା ପ୍ରାଧିକରଣ ନିଷ୍ପତ୍ତି ଅନୁସାରେ ୨୦୧୬ ଏପ୍ରିଲ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଉଭୟ ପଦ୍ଧତି ଅର୍ଥାତ୍‌ ପଗ୍‌ ମାର୍କ ପଦ୍ଧତି ଓ କ୍ୟାମେରା ଟ୍ରାପ୍‌ ମାଧ୍ୟମରେ କରାଗଲା। ୧୧ ହଜାର ୩୭୦ ପଗ୍‌ ମାର୍କ ଏବଂ ୪୨୦ଟି କ୍ୟାମେରା ଦ୍ୱାରା ବାଘ ଗଣନା କରାଯାଇ ଶିମିଳିପାଳ କୋର ଅଂଚଳ ଭିତରେ ସମୁଦାୟ ୨୯ଟି ବାଘ ରହିଥିବାର ଜଣାପଡିଥିଲା। ତନ୍ମଧ୍ୟରୁ ଶିମିଳିପାଳ କୋର ଅଂଚଳରେ ୯ଟି ଅଣ୍ଡିରା ବାଘ, ୧୪ଟି ମାଈ ବାଘ ଓ ୩ଟି ଶାବକ ବାଘ ଏବଂ କରଂଜିଆ ବନଖଣ୍ଡରେ ୩ଟି ମାଈ ବାଘ ଅନ୍ତର୍ଭୁକ୍ତ ଥିଲେ। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ସାତ ବର୍ଷ ମଧ୍ୟରେ ପୁଣି ୨୪ଟି ବାଘ ଉଭାନ ହୋଇଯିବା ଘଟଣା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା; କାରଣ ଏହି ହିସାବ ନିଶ୍ଚିତଭାବେ ଶିମିଳିପାଳରେ ଦିଗହରା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଭିନ୍ନ ସମୟରେ ଶିମିଳିପାଳର ସୁରକ୍ଷା ଓ ବିକାଶ ପାଇଁ ବିଭିନ୍ନ ଯୋଜନା ଘୋଷଣା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ଅନୁଦାନ ସଂପୃକ୍ତ ବନ ବିଭାଗ ପାଇଁ ଉଦ୍ଦିଷ୍ଟ ଥିଲେ ହେଁ ଶିମିଳିପାଳରେ ବ୍ୟାଘ୍ର ସଂଖ୍ୟା ହ୍ରାସ ପ୍ରତି ବନ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି।
ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ କେନ୍ଦ୍ର ଅଂଚଳରେ ଥିବା ଗ୍ରାମଗୁଡିକୁ ଉଚ୍ଛେଦ କରାଯିବା ପରେ ମଧ୍ୟ ଶିମିଳିପାଳ ମଧ୍ୟରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ବାଘମାନଙ୍କ ସୁରକ୍ଷା ପାଇଁ ୨୦୧୧ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସଂପନ୍ନ ‘ଶିମିଳିପାଳ ଫାଉଣ୍ଡେସନ’ ଗଠନ କରାଯାଇ ସ୍ୱତନ୍ତ୍ରଭାବରେ ବାଘ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଫାଉଣ୍ଡେସନ ଗଠନର ବର୍ଷକ ପରେ ୨୦୧୨ ଜୁନ୍‌ ୨୮ରେ ବାରିପଦା ସର୍କିଟ ହାଉସଠାରେ ରାଜ୍ୟ ସରକାରଙ୍କ ତତ୍‌କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନର ପ୍ରଥମ ବୈଠକ ଏବଂ ପରବର୍ତ୍ତୀ ସମୟରେ ୨୦୧୭ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ବାଘ ସୁରକ୍ଷା ଓ ବାସସ୍ଥଳୀର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଶିମିଳିପାଳ ପାଇଁ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବାହିନୀରେ ୧୧୨ ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ସହିତ ସ୍ୱତନ୍ତ୍ରଭାବରେ ଜଣେ ସହକାରୀ ବନ ସଂରକ୍ଷକ ଓ ୩ ଜଣ ରେଂଜ ଅଫିସର ସହ ୯୦ ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯିବାର ଥିଲା ଏବଂ ଜେନାବିଲ, ନଅଣା ଓ ଗୁଡୁଗୁଡିଆରେ ୩ଟି ଆଧୁନିକ ବ୍ୟାରେକ ନିର୍ମାଣ ସହ ଫରେଷ୍ଟ ଗାର୍ଡଙ୍କର ତାଲିମ ପାଇଁ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ଦାୟିତ୍ୱ ଦିଆଯିବାର ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏହି ଫାଉଣ୍ଡେସନର ଉଚ୍ଚକ୍ଷମତାସଂପନ୍ନ କମିଟିର ବୈଠକ ବର୍ଷକୁ ଦୁଇ ଥର ହେବାର ସ୍ଥିରୀକୃତ ହୋଇଥିଲେ ମଧ୍ୟ ଫାଉଣ୍ଡେସନ ଗଠନର ଏଯାବତ ଅର୍ଥାତ୍‌ ୭ ବର୍ଷ ମଧ୍ୟରେ ୧୪ ଗୋଟି ବୈଠକ ପରିବର୍ତ୍ତେ ମାତ୍ର ଦୁଇଟି ବୈଠକ ହୋଇଛି। ଫାଉଣ୍ଡେସନ ଦ୍ୱାରା ଗ୍ରହଣ କରାଯାଇଥିବା ଯୋଜନାଗୁଡିକ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନାହିଁ। କିନ୍ତୁ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ପରିବର୍ତ୍ତେ ପ୍ରତି ଦୁଇ ବର୍ଷରେ ଥରେ ବାଘ ଗଣନା କରାଯାଇ ବାଘ ସଂଖ୍ୟା ହ୍ରାସ ଓ ବୃଦ୍ଧି ସଂପର୍କରେ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସାମୟିକ ଭାବରେ ହୋହାଲ୍ଲା ସୃଷ୍ଟି ହେବା ହିଁ ସାର ହେଉଛି। ପରବର୍ତ୍ତୀ ସମୟରେ ବାଘମାନଙ୍କର ସୁରକ୍ଷା ତଥା ବଂଶ ବୃଦ୍ଧି ପାଇଁ ଆବାସସ୍ଥଳୀର ବିକାଶ ନିମନ୍ତେ କୌଣସି ମୌଳିକ ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ଜଙ୍ଗଲ ବିଭାଗ ପ୍ରତି ଦୋଷାରୋପ କରାଯାଉଥିବାର ଦେଖାଯାଉଛି। ବାଘମାନଙ୍କର ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ପରିବେଶ ମଧ୍ୟରେ ରହିଥିବାର ରାଜ୍ୟବାସୀ ତଥା ନିର୍ବାଚିତ ଜନପ୍ରତିନିଧି ଓ ପରିବେଶପ୍ରେମୀ ମତପ୍ରକାଶ କରୁଛନ୍ତି।

Comments are closed.