ବାଟ ଓଗାଳିଛି ଶିମିଳିପାଳ ଆଭ୍ୟନ୍ତର ଗାଁ : ଝୁଲିଛି ଜାତୀୟ ଉଦ୍ୟାନ ମାନ୍ୟତା

କରଞ୍ଜିଆ : ମୟୂରଭଞ୍ଜ ଜିଲାର ମଧ୍ୟସ୍ଥଳରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ ଜିଲାବାସୀଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନର ପ୍ରାଣବିନ୍ଦୁ ହେବା ସହ ଜିଲାର ଶୋଭାମଣ୍ଡନ କରୁଛି। ନିଜ ବୁକୁରେ ଅସଂଖ୍ୟ ତୃଣଭୋଜି, ହିଂସ୍ର ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗ ଓ ବୃକ୍ଷଲତାକୁ ଆବୋରି ରଖିଥିବା ବେଳେ ମାନବକଲ୍ୟାଣ ପାଇଁ ୯ଟି ନଦୀକୁ ସୃଷ୍ଟି କରିଛି। ଶିମିଳିପାଳ ଓଡ଼ିଶାର ରାଜସ୍ବ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିବା ବେଳେ ଜାତୀୟ ଉଦ୍ୟାନର ମୁକୁଟ ପିନ୍ଧାଇବା ନେଇ ରାଜ୍ୟ ପ୍ରଶାସନ ତଥା ଜିଲାର ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶେଷ ଆନ୍ତରିକତା ନଥିବା ଦେଖାଯାଇଛି ।
୨୭୫୦ ବର୍ଗ କି.ମି. ପରିମିତ ଶିମିଳିପାଳ ବନାଞ୍ଚଳର ୨୨୭୧.୭୮ ବର୍ଗ କି.ମି. ଅଞ୍ଚଳକୁ ଭାରତବର୍ଷର ସର୍ବବୃହତ ସଂରକ୍ଷିତ ଜଙ୍ଗଲର ମାନ୍ୟତା ମିଳିଛି । ଗତ ୨୩.୦୪.୨୦୦୮ ରେ ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗ ଏହି ଅଞ୍ଚଳକୁ ଅଭୟାରଣ୍ୟ ଭାବେ ଘୋଷଣା କରିବା ପରେ ୧୯୯୪ ମସିହାରେ ୟୁନେସ୍କୋ ପକ୍ଷରୁ ଅଭୟାରଣ୍ୟକୁ ମିଶାଇ ସର୍ବମୋଟ ୫୫୬୯ ବର୍ଗ କି.ମି.ଅଞ୍ଚଳକୁ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳ ଭାବେ ଘୋଷଣା କରିଛନ୍ତି । ଗତ ୦୪.୧୨.୧୯୭୩ ମସିହାରେ ପ୍ରୋଜେକ୍ଟ ଟାଇଗର ସ୍କିମ ଅନ୍ତର୍ଗତ ୨୭୫୦ ବର୍ଗ କି.ମି.ପରିମିତ ସଂରକ୍ଷିତ ଜଙ୍ଗଲକୁ ଭାରତ ସରକାର ଟାଇଗର ରିଜର୍ଭ ଭାବେ ଘୋଷଣା କରିବା ପରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ଧାରା ୩୮(ଭି) ଅନ୍ତର୍ଗତ ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗ ୧୧୯୪.୭୫ବର୍ଗ କି.ମି.କୁ କ୍ରିଟିକାଲ ଟାଇଗର ହେବିଟାଟ(କୋର) ଅଞ୍ଚଳ ଓ ୧୫୫.୨୫ ବର୍ଗ କି.ମି.କୁ ବଫର ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଶିମିଳିପାଳର ୨୭୫୦ ବର୍ଗ କି.ମି.ପରିମିତ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ, ୧୯୧.୦୬ ବର୍ଗ କି.ମି.ପରିମିତ ହଦଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ୨୭୨.୭୫ ବର୍ଗ କି.ମି. ପରିମିତ କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟକୁ ମିଶାଇ ସରକାର ଗତ ୨୯.୦୯.୨୦୦୧ରେ ମୟୂରଭଞ୍ଜ ହସ୍ତୀ ଅଞ୍ଚଳ ଭାବେ ଘୋଷଣା କରିବାର ଦୁଇମାସ ପରେ ଘୋଷିତ ହସ୍ତୀ ଅଞ୍ଚଳର ସୀମାକୁ ସଂଶୋଧିତ କରି ୭୦୪୩.୦୪ ବର୍ଗ କି.ମି.କୁ ବୃଦ୍ଧି କରିଛନ୍ତି । ଏଥିସହ ନିଷିଦ୍ଧାଞ୍ଚଳ ସହ ସଂଯୁକ୍ତ ଥିବା ୩୫୭୧.୨୬ ବର୍ଗ କି.ମି. ପରିମିତ ରିଜର୍ଭ ଜଙ୍ଗଲ, ନିଷିଦ୍ଧ ଜଙ୍ଗଲ, ଘରୋଇ ଜମି, ରାଜସ୍ବ ଜମି ଏବଂ କୃଷି ଉପଯୋଗୀ ଜମିକୁ ସରକାର ସଂରକ୍ଷିତ ହସ୍ତୀ ଅଞ୍ଚଳ ମଧ୍ୟରେ ସାମିଲ କରିଥିବା ବେଳେ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଟାଇଗର ରିଜର୍ଭ ତଥା ହସ୍ତୀ କରିଡର ମଧ୍ୟରେ ରହୁଥିବା ୨୦ଟି ହାମଲେଟ ଗ୍ରାମକୁ ଅଦ୍ୟାବଧି ସରକାରଙ୍କ ସ୍ବେଚ୍ଛାକୃତ ପୁନର୍ବସନ ଯୋଜନାରେ ଅନ୍ୟତ୍ର ସ୍ଥାନିତ କରାଇବା କ୍ଷେତ୍ରରେ ସାଧାରଣ ପ୍ରଶାସନ ଓ ବନବିଭାଗ ମଧ୍ୟରେ ଆନ୍ତରିକତା ପରିଲକ୍ଷିତ ହୋଇନାହିଁ । ୧୯୭୩ ମସିହାରେ ଶିମିଳିପାଳ ଅଭୟାରଣ୍ୟର ୮୪୫.୭୦ ବର୍ଗ କି.ମି. କୋର ଅଞ୍ଚଳ ମଧ୍ୟରେ ଥିବା ୪ଟି ଗ୍ରାମ ବକୁଆ, ଜମୁନାଗଡ଼, ଜେନାବିଲ ଏବଂ କବାଟଘାଇ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ବାଧକ ସାଜିଥିଲା। ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଯୋଗୁଁ ଜେନାବିଲ, କବାଟଘାଇ, ଜମୁନାଗଡ଼ ଏବଂ ହାମଲେଟ ଗ୍ରାମ ବାରାହାକାମୁଡା ଓ ବାହାଘରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିଛି। ମାତ୍ର ବକୁଆ ଗ୍ରାମ ଏବଂ ଜମୁନାଗଡ଼ର ଗୋଟିଏ ପରିବାରକୁ ଅଦ୍ୟାବଧି ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନପାରିବାରୁ ଜାତୀୟ ଉଦ୍ୟାନ ପାଇଁ ଥିବା ଆବଶ୍ୟକୀୟ ଉପାଦାନ ପୂରଣ ହୋଇପାରୁନଥିବା ଜଣାଯାଇଛି । ସ୍ବେଚ୍ଛାକୃତ ପୁନର୍ବସନ କେନ୍ଦ୍ରୀୟ ଯୋଜନାକୁ ବାରିପଦାସ୍ଥିତ ତତ୍କାଳୀନ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀରାମ ସାଗର ୧୯୯୨-୯୩ ମସିହାରେ ପ୍ରଥମେ କାର୍ଯ୍ୟକାରୀ କରିବା ଏବଂ ଆରସିସିଏଫ ସୁରେଶ କୁମାର ବଶିଷ୍ଠଙ୍କ ପରେ କୌଣସି ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ତତ୍କାଳୀନ ସ୍ୱତନ୍ତ୍ର ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିବାପରେ ବ୍ୟକ୍ତିଗତ ଭାବେ ଶିମିଳିପାଳ ପ୍ରତି ଆକୃଷ୍ଟ ହୋଇ ୨୦୧୬ ମସିହାରେ ରାଜ୍ୟ ସ୍ବେଚ୍ଛାକୃତ ପୁନର୍ବସନ ଯୋଜନାକୁ ଲାଗୁ କରି ଶିମିଳିପାଳର ବଫର ଅଞ୍ଚଳରେ ଥିବା କିଆଝରୀ ଗ୍ରାମକୁ ଜନବସତି ଅଞ୍ଚଳକୁ ଆଣି ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କରି ପରାମର୍ଶ କ୍ରମେ ଜିଲା ପ୍ରଶାସନର ସହଯୋଗ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଉଦ୍ୟମ ହେତୁ ଶିମିଳିପାଳର କୋର ଅଞ୍ଚଳରୁ କବାଟଘାଇ ଗ୍ରାମକୁ ଏବଂ ବଫର ଅଞ୍ଚଳରୁ ଖେଜୁରୀ, କିଆଝରୀ, ରାମଯୋଡ଼ି, ମାଟାକଚା ଗ୍ରାମକୁ ଅନ୍ୟତ୍ର ପୁନଃସ୍ଥାପିତ କରାଯାଇପାରିଛି । ଶ୍ରୀ ବେହେରାଙ୍କ ବଦଳି ହେବା ଏବଂ ସଚିବ ସ୍ତରରେ ସୁରେଶ ମହାପାତ୍ର ବଦଳି ହେବାପରେ ସ୍ବେଚ୍ଛାକୃତ ପୁନର୍ବସନ କାର୍ୟ୍ୟପ୍ରତି ବିଭାଗୀୟ ପଦାଧିକାରୀମାନେ ସମ୍ପୂଣ୍ଣ ମୁହଁ ମୋଡିଛନ୍ତି । ଯାହାଦ୍ୱାରା କୋର ଅଞ୍ଚଳରେ ରହିଥିବା ବକୁଆ ଗ୍ରାମ ପାଇଁ ଜାତୀୟ ଉଦ୍ୟାନର ସ୍ବପ୍ନ ସାକାର ହେବାରେ ଅନିଶ୍ଚିତତା ଦେଖାଯାଇଛି । ଜାତୀୟ ଉଦ୍ୟାନ ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ଉପାଦାନ ମଧ୍ୟରେ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିରେ ୫୦୧ ପ୍ରଜାତିର ବୃକ୍ଷ ସାଙ୍ଗକୁ ୯୩ ପ୍ରଜାତିର ପୁଷ୍ପ, ୨୩୧ ପ୍ରଜାତିର ପକ୍ଷୀ, ହିଂସ୍ର ଓ ତୃଣଭୋଜି ଜନ୍ତୁ, ସୁଉଚ୍ଚ ମେଘାସନୀ ପର୍ବତ ସାଙ୍ଗକୁ ଖଇରିବୁରୁ, ଗୁରଗୁଡ଼ିଆ, ନଅଣା, ବରେହିପାଣି, ଯୋରନ୍ଦା ପର୍ବତ; ଶିମିଳିପାଳରୁ ଉତ୍ପନ୍ନ ନଦୀଗୁଡିକ ମଧ୍ୟରୁ ବୁଢାବଳଙ୍ଗ, ଖଡଖାଇ, ଖଇରୀ, ଭଣ୍ଡନ, ପଶ୍ଚିମ ଦେଓ, ପୂର୍ବ ଦେଓ, ସାଳନ୍ଦୀ, ସଞ୍ଜୁ ଓ ପଳପଳା, ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ସହ ଅଲକୁଦର ଜଳପ୍ରପାତ ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ବେଶ ସହାୟକ ସ୍ଥିତିରେ ଅଛି । ପୂର୍ବତନ ଜଙ୍ଗଲ ସଚିବ ତଥା ବର୍ତ୍ତମାନର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ରାଜ୍ୟରେ ଏକ ସ୍ବେଚ୍ଛାକୃତ ପୁନର୍ବସନ ବିଭାଗ ଖୋଲି ଦକ୍ଷ ପଦାଧିକାରୀଙ୍କୁ ନିଯୁକ୍ତି ଦେବାସହ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ପ୍ରଶାସକଙ୍କ ସହ ଜିଲା ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆନ୍ତରିକତା ବୃଦ୍ଧି ହେଲେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ପରିବେଶବିତଙ୍କ ଠାରୁ ପ୍ରକାଶ।
ଏମାନେ ଯାହା କହନ୍ତି:-
ହରିଶଙ୍କର ଉପାଧ୍ୟାୟ, ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟଜନ୍ତୁ)– ମୟୂରଭଞ୍ଜରେ ଥିବା ଶିମିଳିପାଳ ଜୈବମଣ୍ଡଳର କୋର ଅଞ୍ଚଳକୁ ନେଇ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଘୋଷଣା ପାଇଁ କୋର ଅଞ୍ଚଳରେ ଥିବା ଜନବସତି ମୁଖ୍ୟ ବାଧକ । ଯଦିଓ ଅଦ୍ୟାବଧି ୩ଟି ଗ୍ରାମକୁ ସ୍ବେଚ୍ଛାକୃତ ପୁନର୍ବସନ ଯୋଜନାରେ ସାମିଲ କରାଯାଇପାରିଛି ତଥାପି ଆଉ କେତେକ ଗ୍ରାମ ସମ୍ପୂର୍ଣ୍ଣ ଉଠିନଥିବା ଯୋଗୁଁ ଜାତୀୟ ଉଦ୍ୟାନ ଘୋଷଣା ହୋଇପାରୁନାହିଁ ।
ବଟକୃଷ୍ଣ ପାଢ଼ୀ, ପ୍ରାକ୍ତନ ଉପ ବନ ସଂରକ୍ଷକ, ବାରିପଦା– ଶିମିଳିପାଳର କୋର ଓ ବଫର ଅଞ୍ଚଳକୁ ନେଇ ୧୯୭୯ ମସିହାରେ ଅଭୟାରଣ୍ୟ ଘୋଷଣା କରାଯାଇଛି । ମାତ୍ର କୋର ଅଞ୍ଚଳରେ ଜନବସତି ଥିବା ଯୋଗୁଁ ଜାତୀୟ ଉଦ୍ୟାନ ଘୋଷଣା ହୋଇପାରୁନଥିବା ସ୍ଥଳେ ବର୍ତ୍ତମାନ କେବଳ ବକୁଆ ଗ୍ରାମ ଓ ଜମୁନାଗଡ଼ ଗ୍ରାମର ୩ଟି ପରିବାର ବ୍ୟତୀତ ଅନ୍ୟ ସବୁ ଗ୍ରାମକୁ ସ୍ଥାନାନ୍ତର କରାଯାଇପାରିଛି। ୨୦୦୧ ଜନଗଣନା ଅନୁସାରେ ବକୁଆ ଗ୍ରାମରେ ୬୦ ପରିବାର ଥିବା ବେଳେ ଅଧୁନା ଏହା ବୃଦ୍ଧି ପାଇଥିବା ଅନୁମାନ । ତେଣୁ ଏହି ଗ୍ରାମ ସହ ଯମୁନାଗଡର ୩ ପରିବାରକୁ ସ୍ବେଚ୍ଛାକୃତ ପୁନର୍ବସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିଲେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯାଇପାରିବ ।
ସନ୍ତୋଷ ମହାନ୍ତି, ଉପାଧ୍ୟକ୍ଷ, ଜିଲା ପରିବେଶ ସମିତି– ୧୯୮୪ ମସିହାରୁ ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଛି। ଭାରତବର୍ଷରେ ଶିମିଳିପାଳ ଏକମାତ୍ର ଜାତୀୟ ଉଦ୍ୟାନ ଯାହାର କୋର ଅଂଚଳ ମଧ୍ୟରେ ଜନବସତି ରହିଥିଲା। କିନ୍ତୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପରେ ପର୍ଯ୍ୟାୟକ୍ରମେ ଶିମିଳିପାଳ କୋର ଅଂଚଳ ଏବଂ ବଫର ଅଂଚଳରେ ଥିବା ଜନବସତିଗୁଡିକୁ ବିସ୍ଥାପିତ କରିବାର ପ୍ରଚେଷ୍ଟା ଜାରି ରହିଛି। ଯେତେଦିନ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ସଂପୂର୍ଣ୍ଣଭାବେ ଜନବସତି ଉଚ୍ଛେଦ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନର ପରିଚାଳନାଗତ ବୈଷୟିକ ତ୍ରୁଟି ରହୁଛି। ଯାହାଫଳରେ ଅନ୍ତର୍ଜାତୀୟସ୍ତରରୁ ଏହି ଜୈବମଣ୍ଡଳର ବିକାଶ ପାଇଁ ଆର୍ଥିକ ସହାୟତା ମିଳିବାରେ ସମସ୍ୟା ଉପୁଜିଛି।

Comments are closed.