ଶିମିଳିପାଳରେ ତାପମାତ୍ରା ୪ ଓ ଫୁଲବାଣୀ ୫ ଡିଗ୍ରୀ; ୧୫ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା କମିବାର ନାଁ ଧରୁନି। କିଛିଦିନ ହେଲା ଭୀଷଣ ଥଣ୍ଡାରେ ସାରା ରାଜ୍ୟର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଭୋର ସମୟରେ ଗାଁ ଠାରୁ ସହର ଯାଏ ରାସ୍ତାଘାଟ ଶୂନଶାନ୍‍ ହୋଇପଡୁଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ, ଦାରିଙ୍ଗବାଡି ଆଦି ସ୍ଥାନରେ ହାଲୁକା ତୁଷାରପାତ ହେଉଛି। ବୁଧବାର ରାତିରେ ଶିମିଳିପାଳରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଯାଇଥିବାବେଳେ ଫୁଲବାଣୀରେ ଏହା ୫ ଡିଗ୍ରୀ ତଳେ ରହିଥିଲା। ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ଥିବା ରେକର୍ଡ କରାଯାଇଛି। ଝାରସୁଗୁଡା ୭.୧, କେନ୍ଦୁଝର ୭.୬, ସମ୍ବଲପୁର ୯.୫, ସୁନ୍ଦରଗଡରେ ରାତିର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରହିଥିଲା। ଭବାନିପାଟଣାରେ ୮, ବଲାଙ୍ଗିର ୯, କୋରାପୁଟ ୯.୫, ଟିଟିଲାଗଡ ୭.୩, ଦାରିଙ୍ଗବାଡି ୬.୫, ବଉଦ ୯.୬ ଏବଂ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ କଟକ ୧୦.୮, ଭୁବନେଶ୍ୱର ୧୦, ଅନୁଗୁଳ ୧୦, ବାରିପଦା ୧୦.୪, ସୋନପୁର ୧୦.୮, ମାଲକାନଗିରି ୧୧.୫, ହୀରାକୁଦ ୧୦.୧ ଏବଂ ତାଳଚେରରେ ରାତିର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରହିଥିବା ଜଣାଯାଇଛି।

Comments are closed.