ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ପହଞ୍ଚିଲେ କ୍ରିକେଟ ତାରକା ଶିଖର ଧାୱନ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେସନ ନିକଟ କଲୋନୀରେ ପହଞ୍ଚିଛନ୍ତି କ୍ରିକେଟ ଖେଳାଳି ଶିଖର ଧାୱନ । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ରାଜଧାନୀ ଦିଲ୍ଲୀରେ ରହୁଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘକାଳୀନ ଭିସା ପ୍ରଦାନ କରିବାକୁ ଆଶ୍ବାସନା ଦେଇଥିଲେ ।

ଧାୱନ ଏହି କଲୋନୀରେ ପହଞ୍ଚି ହିନ୍ଦୁ ଶରଣାର୍ଥୀଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ସେମାନଙ୍କୁ କ୍ରିକେଟ୍ ଖେଳ ଉପକରଣ, ଶୌଚାଳୟ ସାମଗ୍ରୀ ଓ ବିଛଣା ସାମଗ୍ରୀ ପ୍ରଦାନ କରିଥିଲେ ।

ଏହି କଲୋନୀରେ ରହୁଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ଦିଲ୍ଲୀର ଏକ ସଂସ୍ଥା ଦେଖାଶୁଣା କରିଥାଏ । ମାତ୍ର ଧାୱନ ନିଜ ତରଫରୁ ଏହି ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି । ସେ କହିଛନ୍ତି ଲୋକମାନଙ୍କୁ ସହାୟତା କରିବା ଦ୍ବାରା ତାଙ୍କୁ ଖୁସି ଓ ଶାନ୍ତି ଉଭୟ ମିଳିଥାଏ । ଅନ୍ୟପକ୍ଷରେ ଧାୱନଙ୍କ ସହଯୋଗ ଓ ସହାୟତା ପାଇ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନେ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ମୁହୂର୍ତ୍ତର ଛବିକୁ ଶିଖର ଧାୱନ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

Comments are closed.