ପଞ୍ଚଭୂତରେ ଲୀନ ହେଲେ ସିଦ୍ଧୁ ମୁସେୱାଲା

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କର ମଙ୍ଗଳବାର ତାଙ୍କ ପୈତୃକ ଗାଁ ମୁସାରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ତାଙ୍କ ହଜାର ହଜାର ପ୍ରଶଂସକ ଲୁହ ଭରା ଆଖିରେ ସେମାନଙ୍କର ପ୍ରିୟ ଗାୟକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁସେୱାଲାଙ୍କ ମାତା-ପିତାଙ୍କ ଅକଥନୀୟ ଯନ୍ତ୍ରଣା ସମସ୍ତଙ୍କୁ ବ୍ୟାକୁଳିତ କରୁଥିଲା। ତାଙ୍କ ମାଆ କଫିନ୍‌ରେ ରଖାଯାଇଥିବା ପୁଅର ଶବକୁ ଚାହିଁ ରହିଥିବା ବେଳେ ପିତା ଭୋ ଭୋ ହୋଇ କାନ୍ଦୁଥିଲେ। ମନସାର ଏହି ଛୋଟ ଗାଁର ପ୍ରତ୍ୟେକ ଘରେ ଶୋକର ବାତାବରଣ ଦେଖା ହୋଇଥିଲା। ଲୋକେ ସେମାନଙ୍କର ପ୍ରିୟ ଗାୟକଙ୍କ ଶେଷ ଦର୍ଶନ କରିବା ପାଇଁ ଘରର ଛାତ ଏବଂ ଗାଡ଼ି ଉପରେ ଚଢିଥିବା ଦେଖିବାକୁ ମିଳିଥିଲା। ଯେଉଁମାନେ କୌଣସି ସ୍ଥାନ ପାଇଲେ ନାହିଁ, ସେମାନେ ଗଛ ଉପରକୁ ଚଢିଯାଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ପିତା ବଲକୌର ସିଂହ ପଗଡ଼ି ବାନ୍ଧିଥିଲେ। ସିଦ୍ଧୁଙ୍କୁ ବର ବେଶରେ ଅନ୍ତିମ ବିଦାୟ ଦିଆଯାଇଛି।

ଗାୟକଙ୍କ ଅନ୍ତିମ ଯାତ୍ରା ପାଇଁ ତାଙ୍କର ପ୍ରିୟ ଟ୍ରାକ୍ଟରକୁ ଫୁଲରେ ସଜାଯାଇଥିଲା। ମୁସୱାଲାଙ୍କ ଶେଷ ଯାତ୍ରା ସମୟରେ ତାଙ୍କ ପିତା ଭୋ ଭୋ ହୋଇ କାନ୍ଦୁଥିଲେ। ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେବା ମଧ୍ୟ କଷ୍ଟସାଧ୍ୟ ଥିଲା। ସେ ପଗଡି କାଢି ପୁଅ ମୃତ୍ୟୁର ନ୍ୟାୟ ମାଗିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ୧୧ ତାରିଖରେ ସିଦ୍ଧୁକଙ୍କ ଜନ୍ମଦିନ ଥିଲା। ଏଥିସହ ଜୁନ୍‌ ମାସରେ ତାଙ୍କ ବିବାହ ମଧ୍ୟ ହେବାକୁ ଥିଲା। କିନ୍ତୁ ଏହା ପୂର୍ବରୁ ଲୋକପ୍ରିୟ ଗାୟକ ଦୁନିଆରୁ ବିଦାୟ ନେଲେ।

 

 

Comments are closed.