ମୋଦୀ ଜଣେ ନବବଧୂ, ଯିଏ କମ୍‌ ରୁଟି ବେଲନ୍ତି, କିନ୍ତୁ ଅଧିକ ଚୁଡ଼ି ରୁଣୁଝୁଣୁ କରନ୍ତି: ସିଦ୍ଧୁ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କଠାରୁ ନୋଟିସ ପାଇବାର କିଛି ଘଣ୍ଟା ମଧ୍ୟରେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ। ସିଦ୍ଧୁ ଶନିବାର କହିଛନ୍ତି, ମୋଦୀ ହେଉଛନ୍ତି ଜଣେ ନବବଧୂ, ଯିଏ କମ୍‌ ରୁଟି ବେଲେ, କିନ୍ତୁ ଚୁଡ଼ିକୁ ଅଧିକ ରୁଣୁଝୁଣୁ କରେ। ଫଳରେ ପଡ଼ୋଶୀମାନେ ଜାଣିପାରିବେ ଯେ, ନୂଆବୋହୂଟି କାମ କରୁଛି। ମୋଦୀ ସରକାରରେ ବି ଏହା ହିଁ ହୋଇଛି ବୋଲି ସିଦ୍ଧୁ କହିଛନ୍ତି। ନିକଟରେ ମଧ୍ୟପ୍ରଦେଶର ଇନ୍ଦୋରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ସିଦ୍ଧୁ କହିଥିଲେ ଯେ, ମୋଦୀ ସବୁଠୁ ବଡ଼ ମିଛୁଆ। ସେ ଅମ୍ବାନୀ ଏବଂ ଆଦାନୀର ବ୍ୟବସାୟିକ ପରିଚାଳକ ବୋଲି ସିଦ୍ଧୁ ଅଭିଯୋଗ କରିଥିଲେ।

ନିକଟରେ ସିଦ୍ଧୁ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ବିଜେପିକୁ ‘କାଲେ ଇଂରେଜ’ ବୋଲି କହିବା ସହ ଏହି ଗେରୁଆ ଦଳକୁ ଭୋଟ ନ ଦେବାକୁ ଆହ୍ବାନ କରିଥିଲେ। ଏହା ସହ ସେ କହିଥିଲେ ପ୍ରଧାନମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନ କାରବାର ଜରିଆରେ ଟଙ୍କା ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କୁ ଲାଭବାନ କରାଉଛନ୍ତି ଏବଂ ଶହୀଦଙ୍କ ମୃତଦେହ ଉପରେ ରାଜନୀତି କରୁଛନ୍ତି। ସିଦ୍ଧୁଙ୍କ ଏପରି ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ତାଙ୍କୁ ନୋଟିସ ଜାରି କରିବା ସହ ତାଙ୍କର ପ୍ରଚାର ଉପରେ ୭୨ ଘଣ୍ଟା କଟକଣା ଲଗାଇଥିଲେ।

Comments are closed.