ସଙ୍କଟରେ ସିଧୁଙ୍କ ସ୍ବର

0

ଚଣ୍ଡିଗଡ : ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ସ୍ବର ଏବେ ବିପଦରେ। କେବେ ଶାୟରୀ ତ କେବେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ସିଧୁ ଆଉ ଭାଷଣ ଦେଇପାରିବେ ନାହିଁ। ରାଜନୈତିକ ନୁହେଁ, ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ବେଶୀ କଥା କହିବାରୁ ବାରଣ କରାଯାଇଛି। ସିଧୁ ଲାରିଞ୍ଜାଇଟିସ୍‌ରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ବାକ୍‌ ଶକ୍ତି ଲୋପ ପାଇପାରେ ବୋଲି ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି। ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଓ ତେଲଙ୍ଗାନା ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କ୍ରମାଗତ ପ୍ରଚାର କରିକରି ସିଧୁଙ୍କ ଗଳା ଖରାପ ହୋଇଛି। ୧୭ଦିନରେ ୭୦ଟି ରାଲିରେ କ୍ରମାଗତ ଭାବେ ଭାଷଣ ଦେବା ଫଳରେ ସ୍ବରପେଟିକା ପ୍ରଭାବିତ ହୋଇ ଲାରିଞ୍ଜାଇଟିସ୍‌ ରୋଗରେ ସେ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ନିର୍ବାଚନ ପ୍ରଚାର ଲାଗି ବାରମ୍ବାର ହେଲିକପ୍ଟର ଏବଂ ବିମାନରେ ଯାତ୍ରା କରିବା ତାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଛି। କିଛିବର୍ଷ ପୂର୍ବରୁ ଏପରି ଯାତ୍ରା ଯୋଗୁ ସେ ଡିଭିଟି (ଡିପ୍‌ ଭେନ୍‌ ଥ୍ର​‌େ​‌ମ୍ବାସିସ୍‌)ରେ ଆକ୍ରାନ୍ତ ହୋଇଥିଲେ। ତେଣୁ ୩ରୁ ୫ଦିନ ଯାଏ ବିଶ୍ରାମ କରିବା ଲାଗି ଡାକ୍ତରମାନେ କହିଛନ୍ତି। ଏହା ସହିତ ଔଷଧ ସେବନ ଏବଂ ଫିଜିଓଥେରାପି ସହ ଶ୍ବାସକ୍ରିୟା ସଂକ୍ରାନ୍ତ କେତେକ ବ୍ୟାୟାମ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ପୂର୍ଣ୍ଣ ବିଶ୍ରାମ ନେବା ଲାଗି ଏକ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି ସିଦ୍ଧୁ। ଡାକ୍ତରଙ୍କ କହିବା ଅନୁସାରେ, ଶରୀରରେ ଉତ୍ସାହ ଭରି ରହିଥିବା ବେଳେ ମସ୍ତିଷ୍କ ଦ୍ରୁତ ଗତିରେ କଥା କହିବାକୁ ପ୍ରେରିତ କରିଥାଏ। ସେହି ସମୟରେ ଯଦି ଗଳା ଶବ୍ଦ ଉଚ୍ଚାରଣ କରିବାକୁ ପ୍ରସ୍ତୁତ ନହୁଏ ତେବେ ଏହାକୁ ଲାରିଞ୍ଜାଇଟିସ୍‌ ବୋଲି କହନ୍ତି। ଶରୀର ଏବଂ ମସ୍ତିଷ୍କ କ୍ଳାନ୍ତ ହୋଇନଥିବା ବେଳେ ଗଳା କ୍ଳାନ୍ତ ହୋଇଯିବା ଏହି ରୋଗର ଲକ୍ଷଣ। ଏଭଳି ଲକ୍ଷଣ ଦେଖାଗଲେ ଗଳାକୁ ଯଦି ବିଶ୍ରାମ ଦିଆ ନଯାଏ ତେବେ ସବୁଦିନ ପାଇଁ ବାକ୍‌ଶକ୍ତି ଲୋପ ପାଇବାର ଆଶଙ୍କା ରହିଛି।

Leave A Reply