ଅମୃତସର ଟ୍ରେନ୍‍ ଦୁର୍ଘଟଣା; ସିଧୁ ଦମ୍ପତିଙ୍କୁ କ୍ଲିନଚିଟ୍‍

0

ଜଳନ୍ଧର : ଅମୃତସରଠାରେ ରାବଣ ପୋଡିବେଳେ ଟ୍ରେନ୍‍ ଦୁର୍ଘଟଣା ସମ୍ବନ୍ଧୀୟ ମାମଲାରେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁ ଏବଂ ତାଙ୍କ ପତ୍ନୀ ନବଜୋତ କୌର ସିଧୁଙ୍କୁ ମାଜିଷ୍ଟ୍ରେଟ୍‍ସ୍ତରୀୟ ତଦନ୍ତ କ୍ରମେ ଗୁରୁବାର କ୍ଲିନଚିଟ ପ୍ରଦାନ କରାଯାଇଛି। ଜଳନ୍ଧର ଡିଭିଜନାଲ କମିସନର ବି. ପୁରୁଷାର୍ଥଙ୍କ ଦ୍ୱାରା ପ୍ରସ୍ତୁତ ୩୦୦ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ କୁହାଯାଇଛି ଯେ ଅକ୍ଟୋବର ୧୯ରେ ସିଧୁ ଅମୃତସରରେ ଉପସ୍ଥିତ ନ ଥିଲେ। ଏଠାରେ ଅନୁଷ୍ଠିତ ରାବଣପୋଡି କାର୍ଯ୍ୟକ୍ରମକୁ ତାଙ୍କ ପତ୍ନୀଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନିକଟସ୍ଥ ରେଳଧାରଣରେ ରାବଣପୋଡି ଦେଖୁଥିବାବେଳେ ଟ୍ରେନ୍‍ରେ କଟି ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିବା ନେଇ ଉଭୟ ଦମ୍ପତ୍ତିଙ୍କୁ ଦାୟୀ କରାଯାଇପାରିବ ନାହିଁ। ଅନ୍ୟପଟେ ଏହି ଦୁର୍ଘଟଣା ପୂର୍ବରୁ ସେ କାର୍ଯ୍ୟକ୍ରମସ୍ଥଳରୁ ଚାଲିଯାଇଥିଲେ ବୋଲି ନବଜୋତ କୌର ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି; କିନ୍ତୁ ଦୁର୍ଘଟଣା ଖବର ପାଇବା ପରେ କୌର ତୁରନ୍ତ କାର୍ଯ୍ୟକ୍ରମସ୍ଥଳ ଛାଡିଦେଇଥିଲେ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଦଶହରା ଉତ୍ସବ ପାଳନ ଲାଗି ଆୟୋଜକ ତଥା କାଉନ୍‍ସିଲର ବିଜୟ ମଦନଙ୍କ ପୁଅ ସୌରଭ ମଦନ ମିଠୁ ପ୍ରଶାସନ ନିକଟରୁ ଅନୁମତି ଲୋଡି ନ ଥିଲେ। କାର୍ଯ୍ୟକ୍ରମ ଲାଗି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ସ୍ଥାନୀୟ ପ୍ରଶାସନର କର୍ତ୍ତବ୍ୟ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଖୁବ୍‍ଶୀଘ୍ର ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ପ୍ରଦାନ କରାଯିବ। ୨୦୧୮ ଅକ୍ଟୋବର ୧୯ରେ ଦଶହରା ଅବସରରେ ଅମୃତସରଠାରେ ଆୟୋଜିତ ରାବଣପୋଡି ଉତ୍ସବବେଳେ କିଛି ଲୋକ ନିକଟସ୍ଥ ରେଳଧାରଣା ଉପରେ ଛିଡାହୋଇଥିଲେ। ଏକ ଦ୍ରୁତଗାମୀ ଟ୍ରେନ ସେମାନଙ୍କ ଉପରେ ମାଡ଼ିଯିବାରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply